ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣାରୁ ହଟିଲା ପରଦା, ସ୍ୱାମୀ ସ୍ବୀକାର କଲେ ଛାତ ଉପରୁ ଠେଲି ହତ୍ୟା କରିଛି

ଓଲିଉଡ୍ ଅଭିନେତ୍ରୀ ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହେରାଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରୁ ପରଦା ହଟିଛି । ଲିପନ୍ ନିଜେ ସ୍ୱୀକାର କରିଛି ଯେ ସେ ନିକିତାଙ୍କୁ ଛାତ ଉପରୁ ଠେଲି ହତ୍ୟା କରିଛି । ଚୌଦ୍ୱାର ଜେଲ୍ର କଳା କୋଠରୀରେ ଏବେ ପ୍ରେମିକ ପତି । କଟକ ଏସ୍ଡିଜେଏମ୍ କୋର୍ଟରେ ଜାମିନ ଅବେଦନ ଖାରଜ ହେବା ପରେ ଲିପନକୁ ଚୌଦ୍ୱାର ଜେଲ୍କୁ ପଠାଇ ଦେଇଛି ପୋଲିସ୍ ।
ନିକିତା ବାପାଙ୍କ ଏତଲା ଆଧାରରେ ଲିପନରୁ ଜେରା କରିଥିଲା ପୋଲିସ୍ । ଆଉ ସବୁ ସତକଥା ମାନିଥିଲା ଲିପନ୍ । ବିବାହ ପରଠୁ ଲିପନ୍ଙ୍କ ଘରଲୋକ ନିକିତାଙ୍କୁ ବାରମ୍ବାର ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ । ଫଳରେ ନିକିତା ଓ ଲିପନ୍ ଘରଠୁ ଅଲଗା ରହୁଥିଲେ । ଜାନୁଆରୀ ୪ ତାରିଖ ରାତିରେ ଅଭିନେତ୍ରୀ ନିକିତା ଥିଲେ କଟକ ମହାନଦୀ ବିହାର ତାଙ୍କ ବାପ ଘରେ । ସେଠାକୁ ଆସିଥିଲେ ଲିପନ । କୌଣସି କାରଣରୁ ସେଠି ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଆଉ ତାପରେ ରାଗରେ ଅନ୍ଧ ହୋଇ ଯାଇଥିଲା ସେ । ମାମଲାରେ ଲିପନ୍ଙ୍କ ବାପାମାଆଙ୍କୁ ମଧ୍ୟ ଜେରା କରିବ ପୋଲିସ୍ ।
ପ୍ରଥମେ ପ୍ରେମ, ପ୍ରେମରୁ ବିବାହ । ବେଶ୍ ହସଖୁସିରେ ଚାଲିଥିଲା ସଂସାର । କେଜାଣି କାହାର ବିଷଦୃଷ୍ଟି ପଡ଼ିଲା ଏ ପରିବାର ଉପରେ, ନିମିଷକରେ ଛିଣ୍ଡିଗଲା ସମ୍ପର୍କର ଡୋର । କାଲି ଯିଏ ମୁହୂର୍ତ୍ତେ ନ ଦେଖିଲେ ପାଗଳ ହୋଇଯାଉଥିଲା ସେ ହେଲା ପାଷଣ୍ଡ । ପ୍ରାଣୋପମା ପତ୍ନୀକୁ ହତ୍ୟା କରିବାକୁ ପଛଘୁଞ୍ଚା ଦେଲାନି ପ୍ରେମିକ ସ୍ୱାମୀ । ଏ କେମିତିକା ପ୍ରେମଇଏ କେମିତିକା ବନ୍ଧନ ? ହତ୍ୟାକାରୀ ସ୍ୱାମୀକୁ ଅଟକାଇ ପାରିଲାନି ନିଜ କଅଁଳା ପୁଅର ନିଷ୍ପାପ ମୁହଁ । ନିକିତାଙ୍କ ରହସ୍ୟ ଜନକ ମୃତ୍ୟୁ ଘଟଣାରୁ ପରଦା ଉଠିବା ପରେ ଏ ପ୍ରଶ୍ନ ଏବେ ଅନେକଙ୍କ ମନରେ ।