ଅଭିଯୋଗର ଦୁଇ ଘଣ୍ଟା ଭିତରେ ଅପହୃତ ଯୁବକକୁ ଉଦ୍ଧାର କଲା ନିମାପଡ଼ା ପୋଲିସ

ଗୋପ (କେନ୍ୟୁଜ୍‌) : ଲୋକେ ସବୁ ବେଳେ ବିଭିନ୍ନ କାରଣ ପାଇଁ ପୋଲିସ୍‌କୁ ଦୋଷ ଦିଅନ୍ତି । ବିଶେଷ କରି ଅପରାଧିକ ମାମଲାରେ ପୋଲିସ୍‌ କିଛି କରୁ ନାହିଁ, ଜାଣିଶୁଣି ଡେରି କରୁଛି ଆଦି ଅନେକ ଅଭିଯୋଗ ଆସେ । ହେଲେ ଯେତେବେଳେ ଭଲ କାମ କରେ ସେତେବେଳେ ଲୋକଙ୍କ ପ୍ରଶଂସା ପାଏ । ଠିକ୍‌ ଏମିତି ଏକ
ବଡ଼ ସଫଳତା ପାଇଛି ନିମାପଡ଼ା ପୋଲିସ । ଅଭିଯୋଗର ମାତ୍ର ଦୁଇ ଘଣ୍ଟା ଭିତରେ ଜଣେ ଅପହୃତ ଯୁବକଙ୍କୁ ଉଦ୍ଧାର କରିଛି । ପୁଣି ଏହି ଅପରାଧରେ ସଂପୃକ୍ତ ଥିବା ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ ବି କରିଛି ।
ଟଙ୍କା ପାଇଁ ଫିଲ୍ମ ଷ୍ଟାଇଲରେ ଏହି ଯୁବକଙ୍କୁ ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ । ଦେଢ଼ ଲକ୍ଷ ଟଙ୍କା ଦାବି କରି ଯୁବକକୁ ଅପହରଣ କରିଥିଲେ । ନିମାପଡା ଜୟଶ୍ରୀ ଛକରୁ ଆଜି ସକାଳ ସାଢେ ଦଶଟା ବେଳେ ଦୁର୍ବୃତ୍ତମାନେ ବାଇକରେ ଆସି ଯୁବକଙ୍କୁ ଅପହରଣ କରି ନେଇଥିଲେ। ସେହି ଯୁବକଙ୍କୁ ମୁଣ୍ଡ ଜାମିନ ରଖି ତାଙ୍କ ପରିବାରକୁ ଦେଢ଼ ଲକ୍ଷ ଟଙ୍କା ଦାବି କରିଥିଲେ । ଏହା ପରେ ପରିବାର ପକ୍ଷରୁ ନିମାପଡା ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା ପରେ ନିମାପଡ଼ା ପୋଲିସ ତୁରନ୍ତ ପଦକ୍ଷେପ ନେଇ ଅପହୃତ ଯୁବକଙ୍କୁ କୋଣାର୍କ ସ୍ଥିତ ଆମ୍ବୁଳି ଗାଁରୁ ଉଦ୍ଧାର କରିଥିଲେ । ଏକ ବାତ୍ୟା ଆଶ୍ରୟ ସ୍ଥଳୀରୁ ଉଦ୍ଧାର ହୋଇଥିଲେ ସଂପୃକ୍ତ ଯୁବକ ।

ପୋଲିସ୍‌ ସୂଚନା ଅନୁସାରେ, ଅପହୃତ ଯୁବକ ହେଉଛନ୍ତି ମନୋଜ କୁମାର ମହାରଣା । ଅପହରଣକାରୀ ଯୁବକ ଟ୍ରାନ୍ସପୋର୍ଟ ବ୍ୟବସାୟ କରୁଥିବା ବେଳେ କିଛି ଟଙ୍କାକୁ ନେଇ ଏମାନଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା । ଅପହରଣକାରୀମାନେ ଯୁବକ ନିମାପଡା ଜୟଶ୍ରୀ ଛକରୁ ମନୋଜଙ୍କୁ ଉଠାଇ ନେଇଥିଲେ । ଅଭିଯୁକ୍ତ ଯୁବକ ଦୁଇଜଣ ହେଲେ ନିଆଳି ରତନପୁରର ରାଜକିଶୋର ବେହେରା ଓରଫ ରାଜୁ ଏବଂ ଜଗନ୍ନାଥ ବେହେରା ଓରଫ ଲିପୁ । ପୋଲିସ ସେମାନଙ୍କୁ ଗିରଫ କରି ଅପହୃତ ଯୁବକକୁ ଉଦ୍ଧାର କରିଛି। ନିମାପଡ଼ା ପୋଲିସ ଗିରଫ ଯୁବକଙ୍କ ଠାରୁ ଗୋଟିଏ ନମ୍ବର ବିହୀନ ମୋଟର ସାଇକେଲ ଓ ଦୁଇଟି ମୋବାଇଲ ଜବତ କରିଛି । ନିମାପଡ଼ା ଏସ୍‌ଡିପିଓଙ୍କ ନେତୃତ୍ୱରେ ଥାନା ଆଇଆଇସି ଶଙ୍କର୍ଷଣ ଦଳେଇ ଓ କୋଣାର୍କ ପୋଲିସ ମିଳିତ ଚଢ଼ାଉ କରି ଅପହରଣକାରୀଙ୍କୁ ଗିରଫ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.