କାମ କରୁନି ସଚେତନତା, ଚେଙ୍କପାଇଁ ଗଲା ୯ ମାସର ଶିଶୁ ପୁତ୍ରର ଜୀବନ

ନବରଙ୍ଗପୁର(କେନ୍ୟୁଜ୍): ପୁଣି ଥରେ ଅନ୍ଧ ବିଶ୍ୱାସର କୁପରିଣତି ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ । ପୁରାତନ ଚେଙ୍କ ଚିକିତ୍ସା ଯୋଗୁ ଜୀବନ ହାରିଛି ଜଣେ ୯ ମାସ ର ଶିଶୁ ପୁତ୍ର । ଘଟଣା ଟି ଘଟିଛି ଜିଲ୍ଲା ର ରାଇଘର ବ୍ଲକ କସକଙ୍ଗା ପଞ୍ଚାୟତ ଅନ୍ତର୍ଗତ ଜଡ଼ାପାରା ଗ୍ରାମରେ l ମେଡିକାଲ ରେ ଶିଶୁ ର ଚିକିତ୍ସା ଚାଲିଥିବା ସମୟରେ ଶିଶୁକୁ ନେଇ ମେଡିକାଲରୁ ଲୁଚିପଳାଇଥିଲେ ବାପା ମା ।ତେବେ ଜିଲ୍ଲାରେ ଚେଙ୍କ ବିରୋଧୀ ସଚେତନତା କାର୍ଯ୍ଯକ୍ରମ(ଜ୍ଯୋତି)ର କୌଣସି ପ୍ରଭାବ ଦେଖିବାକୁ ମିଳୁନାହିଁ।

ଘଟଣା ଅନୁସାରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର କସକଙ୍ଗା ପଞ୍ଚାୟତ ଅନ୍ତର୍ଗତ ଜଡ଼ାପାରା ଗ୍ରାମରେ।  ଏହି ଗ୍ରାମର ସୁକଦେବ ଗଣ୍ଡଙ୍କ ୯ ମାସର ଶିଶୁପୁତ୍ରକୁ ଗତ ସୋମବାର ଦିନ ଥଣ୍ଡା କାସ ସହିତ ଜ୍ଵର ହୋଇଥିଲା। ସେଠାକାର ଆଶାକର୍ମୀ ସହନ୍ତି ଗଣ୍ଡ ଗତ ମଙ୍ଗଳବାର ଦିନ ସୁକଦେବ ଘରକୁ ଯାଇ ପୁଅକୁ ମେଡିକାଲ ନେବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ଆଶାକର୍ମୀଙ୍କ କଥାକୁ ଭୃକ୍ଷେପ ନକରି ଘରୋଇ ଚିକିତ୍ସା କରିବାକୁ ପରିବାର ଲୋକେ ନିଷ୍ପତ୍ତି ନେଇଥିଲେ  ଏବଂ ବୁଧବାର ଦିନ ଜୋଡ଼ଯୋଙ୍ଗା ଅଂଚଳରୁ ଜଣେ ବୃଦ୍ଧାଙ୍କୁ ଡକାଇ ଶିଶୁ ପୁତ୍ର ରୂପେଶକୁ ଚେଙ୍କ ଦେଇଥିଲେ। ଚେଙ୍କ ଦେଉଥିବା ସମୟରେ ଆଶାକର୍ମୀ ସେଠାକୁ ପହଞ୍ଚି ଏଭଳି ଅବସ୍ଥା ଦେଖି ତୁରନ୍ତ ୧୦୮ ଆମ୍ବୁଲାନସ୍‌ ଡକାଇ ଥିଲେ। ସେତେବେଳକୁ ଚେଙ୍କ ଯୋଗୁଁ ଶିଶୁଟିର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିଲା । ପରେ ଆଶାକର୍ମୀଙ୍କ ସହାୟତାରେ ଶିଶୁକୁ ହାଟଭରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା । ସେଠାରେ ଡାକ୍ତର ଶିଶୁପୁତ୍ରକୁ ଭର୍ତ୍ତି କରି ଭଲ ହେବା ପର୍ଯ୍ଯନ୍ତ ଚିକିତ୍ସା ଚାଲୁ ରହିବ ବୋଲି କହିଥିଲେ। କିନ୍ତୁ ପରିବାର ଲୋକେ ମେଡିକାଲରେ ଡାକ୍ତରଙ୍କୁ ଡିସଚାର୍ଜ କରିଦିଅ ବୋଲି ବାରମ୍ବାର କହିଥିଲେ ।  କିନ୍ତୁ ଶିଶୁର ସ୍ବାସ୍ଥ୍ୟାବସ୍ଥା ଅବସ୍ଥା ଶୋଚନୀୟ ଅଛି ତାକୁ ଛଡ଼ାଯିବ ନାହିଁ ବୋଲି ଡାକ୍ତର ସଫା ସଫା ମନା କରିଥିଲେ।

ଗୁରୁବାର ସକାଳ ପ୍ରାୟ ୧୦ ଟା ସମୟରେ ଆଶାକର୍ମୀ ଓ ଡାକ୍ତର ଆସି ଦେଖିବା ବେଳକୁ ଶିଶୁପୁତ୍ରକୁ ନେଇ ପରିବାର ଲୋକେ ମେଡିକାଲରୁ ଲୁଚି ଚାଲିଯାଇଥିଲେ। ଏହା ପରେ ଡାକ୍ତର ଏ ନେଇ କୁନ୍ଦେଇ ଥାନାରେ ଲିଖିତ ଜଣାଇଥିଲେ।  ଆଶାକର୍ମୀ ସହନ୍ତି ଗଣ୍ଡ ପୁଣି ଥରେ ସୁକଦେବ ଗଣ୍ଡଙ୍କ ଘରକୁ ଯାଇ ଦେଖିବା ବେଳକୁ ଶିଶୁଟିକୁ ଘରୋଇ ଚିକିତ୍ସା କରୁଥିଲେ ।  ଆଶାକର୍ମୀ ସେମାନଙ୍କୁ ବହୁତ ବୁଝାଇବା ପରେ ବି ସେମାନେ ନ ବୁଝିବାରୁ ସେ ନିରାଶ ହୋଇ ଫେରି ଆସିଥିଲେ।  ଶେଷରେ ଶିଶୁ ପୁତ୍ର ଆଜି ଭୋର ୪ଟା ସମୟରେ ସବୁଦିନ ପାଇଁ ଆଖି ବୁଜିଦେଲା ।ତେବେ ଚେଙ୍କ ଭଳି ଏକ ଅନ୍ଧ ବିଶ୍ଵାସର ଚିକିତ୍ସା ଯୋଗୁଁ ଆଜି ଆଉ ଏକ ନିରୀହ ଶିଶୁର ଜୀବନ ଯାଇଛି ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.