ଆରମ୍ଭ ହେଲା ରେଡିଓ ମେଳା, ଭଞ୍ଜ କଳାମଣ୍ଡପରେ ଜମୁଛି ରେଡିଓ ପ୍ରେମୀଙ୍କ ଭିଡ଼

ଭୁବନେଶ୍ୱର (କେନ୍ୟୁଜ୍‌) : ସ୍ଥାନୀୟ ଭଞ୍ଜକଳା ମଣ୍ଡପରେ ଆରମ୍ଭ ହୋଇଛି ନବମ ଆଉଟରିଚ ଅନ୍ତର୍ଜାତୀୟ ରେଡ଼ିଓ ମେଳା । ଫେବ୍ରୁଆରୀ ୧୩ ତାରିଖ ବିଶ୍ୱ ରେଡିଓ ଦିବସକୁ ସ୍ମରଣୀୟ କରିବା ପାଇଁ ଆଉଟରିଚ ପକ୍ଷରୁ ପ୍ରତିବର୍ଷ ଏଭଳି ରେଡିଓ ମେଳାର ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ଏଥର ଥିମ୍‌ ରହିଛି ‘ବାଣୀ : କଲ୍‌ ଆଜ୍‌ ଅର କଲ୍‌’ । ଏଥିରେ ଛାତ୍ର ଛାତ୍ରୀ ଓ ପ୍ରଫେସନାଲଙ୍କ ପାଇଁ ଏକ ଓ୍ଵାର୍କସପ୍‌ ମଧ୍ୟ କରାଯାଇଛି । ବର୍ତ୍ତମାନର ଇଣ୍ଟରନେଟ୍‌ ଓ ସୋସିଆଲ ମିଡିଆ ଯୁଗରେ ରେଡିଓ କିଭଳି ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ତା ଉପରେ ଆଲୋଚନା କାର୍ଯ୍ୟକ୍ରମ ଆଦି ରଖା ଯାଇଛି ।

୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ଏହି ରେଡିଓ ମେଳାର ଭିନ୍ନ ଭିନ୍ନ ଦିବସରେ ଅନେକ କାର୍ଯ୍ୟକ୍ରମ ରହିଛି । ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା, ପ୍ରଦର୍ଶନୀ, କମ୍ୟୁନିକେସନ୍‌ ଓ୍ଵାର୍କସପ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି ।

ଏହି ମେଳରେ ଦେଶର ଅନେକ ରେଡିଓ ପ୍ରସାରକ ଓ ରେଡିଓ ଷ୍ଟେସନ ଯୋଗ ଦେଉଛନ୍ତି । ଏଥିରେ ୩ ହଜାରରୁ ଅଧିକ ପ୍ରକାର ପୁରୁଣା ରେଡିଓ, ହୋମ ରେଡିଓ ଏବଂ ଗ୍ରାମଫୋନ ପ୍ରଦର୍ଶିତ କରାଯାଉଛି । ଏ ସମ୍ପର୍କରେ ଆଜି ରେଡିଓ ଫେୟାର ଆବାହକ ସୁବ୍ରତ ପତି ସୂଚନା ଦେଇଛନ୍ତି ।