KISS ହ୍ୟୁମାନିଟାରିଆନ ସମ୍ମାନ-୨୦୨୫ ଗ୍ରହଣ କଲେ ନୀତା ଅମ୍ବାନୀ, ଏହି ସମ୍ମାନ ମୋର ନୁହେଁ ସମ୍ପୂର୍ଣ୍ଣ ରିଲାଏନ୍ସ ପରିବାରର କହିଲେ
ଭୁବନେଶ୍ୱର : କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ ପକ୍ଷରୁ ରିଲାଏନ୍ସ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ତଥା ଚେୟାରପର୍ସନ ନୀତା ଅମ୍ୱାନୀ KISS ହ୍ୟୁମାନିଟାରିଆନ୍ ସମ୍ମାନ ୨୦୨୫ ପ୍ରଦାନ କରାଯାଇଛି । ଏହି ଅବସରରେ ଓଡ଼ିଶାର କଳା ସଂସ୍କୃତିକୁ ପ୍ରଶଂସା କରିଥିଲେ ନୀତା ଅମ୍ବାନୀ । କହିଥିଲେ ଓଡ଼ିଶାରେ ଅନେକ ମନ୍ଦିର ଅଛି । କିନ୍ତୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ୨ଟି ଆଧୁନିକ ମନ୍ଦିର, KIIT ଓ KISS ନିର୍ମାଣ କରିଛନ୍ତି । ଏହି ଦୁଇଟି ବିଦ୍ୟା ମନ୍ଦିର ପୂରା ଦେଶର ଗୌରବ ।

ଏଠାରେ ୪୦,୦୦୦ ରୁ ଅଧିକ ଜନଜାତି ପିଲା ଶିକ୍ଷା ଗ୍ରହଣ କରୁଥିବା ଏବଂ ସେଥିମଧ୍ୟରୁ ୭୦% ଛାତ୍ରୀ ଥିବା ଜାଣି ସେ ବହୁତ ଖୁସି ବ୍ୟକ୍ତ କରିଥିଲେ । ଏଠାକୁ ଆସି ସେ ପିଲାଙ୍କର ଏବଂ ସେମାନଙ୍କ ସମ୍ପ୍ରଦାୟର ରୂପାନ୍ତର ଦେଖିବାର ସୌଭାଗ୍ୟ ପାଇଲି ବୋଲି କହିଛନ୍ତି ନୀତା ଅମ୍ବାନୀ । ଏଠାରେ ପିଲାଙ୍କଠାରୁ ପାଇଥିବା ସ୍ନେହ ଓ ଶ୍ରଦ୍ଧା ସେ କେବେ ବି ଭୁଲି ପାରିବେ ନାହିଁ ବୋଲି କହିଛନ୍ତି । ସେ ପିଲାଙ୍କ କଳା, ନୃତ୍ୟ ଓ ଯୋଗ ଦେଖି ଅଭିଭୂତ ହୋଇଥିଲେ । KISS ହ୍ୟୁମାନିଟାରିଆନ ସମ୍ମାନ କେବଳ ତାଙ୍କର ନୁହେଁ ବରଂ ରିଲାଏନ୍ସ ଫାଉଣ୍ଡେସନର ସମସ୍ତ ସଦସ୍ୟଙ୍କର ବୋଲି ସେ କହିଛନ୍ତି ।

ସ୍ୱାଗତ ଭାଷଣ ଦେଇ ଡ. ଅଚ୍ୟୁତ ସାମନ୍ତ କହିଥିଲେ, “ସଫଳତା ଅର୍ଥ ନୁହଁ କେବଳ ନିଜ ପାଇଁ କଛି ହାସଲ କରିବା । ପ୍ରକୃତ ସଫଳତା ହେଉଛି ଅନ୍ୟମାନଙ୍କ ଜୀବନରେ ଆଲୋକ ଆଣିବା । ” ନୀତା ଅମ୍ବାନୀଙ୍କ ବହୁମୁଖୀ ସାମାଜିକ କାର୍ଯ୍ୟର ଉଦାହରଣ ଦେଇଥିଲେ ଡ. ସାମନ୍ତ । ବିଶ୍ୱରେ ନିରବଚ୍ଛିନ୍ନ ଭାବେ ନିଷ୍ଠାର ସହ ମାନବ ସେବାରେ ନିୟୋଜିତ ବ୍ୟକ୍ତି କିମ୍ବା ସଂଗଠନକୁ ୨୦୦୮ରୁ ଏହି ସମ୍ମାନ ପ୍ରଦାନ କରାଯାଉଛି । ପୂର୍ବରୁ ଏହି ସମ୍ମାନଜନକ ପୁରସ୍କାର ଲାଭ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ବିଶ୍ୱର ବହୁ ବିଶିଷ୍ଟ ରାଷ୍ଟ୍ରନେତା, ନୋବେଲ୍ ବିଜେତା ଏବଂ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିମାନେ ରହିଛନ୍ତି, ଯାହାକି ଏହି ପୁରସ୍କାରର ବ୍ୟାପକ ଅନ୍ତର୍ଜାତୀୟ ଗ୍ରହଣୀୟତା ଓ ସମ୍ମାନକୁ ସୂଚୀତ କରୁଛି ।

ଆଜି KIIT ର ବିଭିନ୍ନ କ୍ୟାମ୍ପସ ବୁଲିବା ସହ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ ନୀତା ଅମ୍ବାନୀ । ଏହି ସମୟରେ ଛାତ୍ରଛାତ୍ରୀଙ୍କ ସହ ମିଶି KIIT କ୍ୟାଂପସ ମିନି ଇଣ୍ଡିଆର ଭ୍ରମ ସୃଷ୍ଟି କରୁଛି ବୋଲି ନୀତା ଅମ୍ୱାନୀ କହିଥିଲେ। ପ୍ରଥମେ KIIT କ୍ୟାମ୍ପସରେ ପହଞ୍ଚିବା ପରେ ତାଙ୍କୁ KIIT ଓ KISS ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଜଣାଇଥିଲେ । ପରେ KIIT ଇଣ୍ଟରନ୍ୟାସନାଲ ସ୍କୁଲରେ ପିଲାମାନଙ୍କ ସହ ମିଶି ବହୁତ ଖୁସି ହୋଇଥିଲେ । ପିଲାଙ୍କ ତରଫରୁ ନୀତା ଅମ୍ୱାନୀଙ୍କୁ ଫଟୋଚିତ୍ର ଭେଟି ଦିଆଯାଇଥିଲା । ଏକ ଛୋଟ ପିଲାଙ୍କୁ କୋଳରେ ଧରି ଭାବ ବିହ୍ୱଳ ହୋଇପଡିଥିଲେ ନୀତା ଅମ୍ୱାନୀ ।
