ନବୀନଙ୍କ ଆର୍ଥିକ ପରିଚାଳନା ଦେଶର ଶ୍ରେଷ୍ଠ, ବିତ୍ତୀୟ ସ୍ଥିତି ସମ୍ପର୍କରେ ନୀତି ଆୟୋଗ ରିପୋର୍ଟରେ ଖୁଲାସା

ବିତ୍ତୀୟ ସ୍ୱାସ୍ଥ୍ୟରେ ଓଡ଼ିଶା ଦେଶରେ ନମ୍ବର ୱାନ । ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ଯ ଗୁଡିକର ବିତ୍ତୀୟ ସ୍ଥିତି ସମ୍ପର୍କରେ ନୀତି ଆୟୋଗ ଦେଇଥିବା ରିପୋର୍ଟ ଏହା ସ୍ପଷ୍ଟ। ୧୮ଟି ପ୍ରମୁଖ ରାଜ୍ୟ ମଧ୍ୟରେ ଓଡ଼ିଶା ବିତ୍ତୀୟ ସ୍ୱାସ୍ଥ୍ୟରେ ଏକ ନମ୍ବର । ୬୭.୮ ସାମଗ୍ରୀକ ସ୍କୋର ସହ ଓଡ଼ିଶା ଶୀର୍ଷରେ ରହିଛି । ୫୫.୨ ପଏଣ୍ଟ ସହ ଦ୍ବିତୀୟରେ ଅଛି ଛତିଶଗଡ଼ । ଅର୍ଥାତ ପ୍ରଥମ ଓ ଦ୍ବୀତିୟ ସ୍ଥାନ ମଧ୍ୟରେ ୧୨ ପଏଣ୍ଟର ଫରକ ରହିଛି । ଗୋଆ ୫୩.୬ ସ୍କୋର ସହ ତୃତୀୟ ସ୍ଥାନରେ ରହିଛି । ୨୦୨୨-୨୩ ଆର୍ଥିକ ବର୍ଷକୁ ନେଇ ନୀତି ଆୟୋଗ ଏହି ବିତ୍ତୀୟ ସ୍ୱାସ୍ଥ୍ୟ ରିପୋର୍ଟ ପ୍ରକାଶ କରିଛି । ଅର୍ଥାତ ନବୀନ ପଟ୍ଟନାୟକଙ୍କ ସରକାର ସମୟର ଆର୍ଥିକ ପରିଚାଳନାକୁ ଶ୍ରେଷ୍ଠ କହିଛି ନୀତି ଆୟୋଗ ।
କେବେଳ ସେତିକି ନୁହଁ ୨୦୧୪-୧୫ରୁ ୨୦୨୧-୨୨ ଆର୍ଥିକ ବର୍ଷ ଯାଏ ଓଡ଼ିଶା ୧ ନମ୍ବର ସ୍ଥାନରେ ରହିଥିଲା । ବିକାଶ ମାନଚିତ୍ରରେ ଓଡ଼ିଶାଠାରୁ ଆଗରେ ଥିବା ତାମିଲନାଡୁ, କର୍ଣ୍ଣାଟକ ଓ ହରିୟାଣା ଭଳି ରାଜ୍ୟ ବିତ୍ତୀୟ ପରିଚାଳନାରେ ବହୁ ପଛରେ ଅଛନ୍ତି । ଓଡ଼ିଶା ଋଣ ସୂଚକାଙ୍କରେ ୯୯.୦ ଏବଂ ନିୟମିତ ଋଣ ପଇଠ ସହ ଉନ୍ନତ ଋଣ ସ୍ଥିତି କ୍ଷେତ୍ରରେ ୬୪ ପଏଣ୍ଟ ସହ ଶୀର୍ଷରେ ରହିଛି । ବଜାର ଋଣ ନିୟମିତ ପରିଶୋଧ ହେଉଥିବାରୁ ୨୦୧୯ରୁ ଓଡ଼ିଶାର ଋଣ ଭାର କ୍ରମାଗତ ହ୍ରାସ ପାଇବାରେ ଲାଗିଛି । ରାଜସ୍ୱ ସଂଗ୍ରହରେ ୬୯.୯ ସ୍କୋର ପାଇଛି ଓଡ଼ିଶା ।
୨୦୧୮-୧୯ରୁ ୨୦୨୨-୨୩ ମଧ୍ୟରେ ଓଡ଼ିଶାର ରାଜସ୍ୱ ଖର୍ଚ୍ଚ ୫୩.୫ ପ୍ରତିଶତ ବୃଦ୍ଧି ପାଇଛି । ୪ ବର୍ଷରେ ପୁଞ୍ଜି ଖର୍ଚ୍ଚ ବଢିଛି ୪୨ ପ୍ରତିଶତ । ରାଜସ୍ୱ ସଂଗ୍ରହ ବୃଦ୍ଧି ଉଲ୍ଲେଖନୀୟ ରହିଛି । ୨୦୧୮-୧୯ରୁ ୨୦୨୨-୨୩ ମଧ୍ୟରେ ଖଣି ରାଜସ୍ୱ ଢେରେ ବଢିଛି। ୨୦୦୫-୦୬ ଆର୍ଥିକ ବର୍ଷରୁ ଓଡ଼ିଶା ରାଜସ୍ୱ ବଳକା ରାଜ୍ୟରେ ପରିଣତ ହୋଇଛି । ରାଜସ୍ୱ ବଳକା ରାଜ୍ୟ ହେବାରୁ ସାମାଜିକ ଅର୍ଥନୈତିକ କ୍ଷେତ୍ରରେ ନିବେଶ ବଢ଼ିଛି। ଓଡ଼ିଶା ବିତ୍ତୀୟ ନିଅଣ୍ଟକୁ ନିମ୍ନରେ ରଖିବାକୁ ସକ୍ଷମ ହୋଇଛି । ୨୦୦୦-୦୧ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ଥିଲା ୬.୯% । ୨୦୨୨-୨୩ରେ ବିତ୍ତୀୟ ନିଅଣ୍ଟ ୨ ପ୍ରତିଶତ ଥିଲା । ଅର୍ଥାତ ଫିସକାଲ ରେସପନସିବିଲିଟି ଆଣ୍ଡ ବଜେଟ ମ୍ୟାନେଜମ୍ୟାଣ୍ଟ ପାରାମିଟରରେ ଉନ୍ନତ ପ୍ରଦର୍ଶନ କରୁଛି ଓଡ଼ିଶା ।
ଆହୁରି ପଢନ୍ତୁ: ବଢ଼ିଲା ବରିଷ୍ଠ IPS ଅଫିସର ରୁପା ମିଶ୍ରଙ୍କ କେନ୍ଦ୍ରୀୟ ଡେପୁଟେସନ ଅବଧି, ପରବର୍ତ୍ତୀ ଆଦେଶ ଯାଏ ଅପେକ୍ଷା