ରେଭେନ୍ସା ବିଶ୍ବବିଦ୍ୟାଳୟରେ ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜନ୍ମବାର୍ଷିକୀ ଉତ୍ସବରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ

ଓଡ଼ିଶାରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ରେଭେନ୍ସା ବିଶ୍ବବିଦ୍ୟାଳୟରେ ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜନ୍ମବାର୍ଷିକୀ ଉପଲକ୍ଷେ ଆୟୋଜିତ ସ୍ମାରକୀ ବକ୍ତୃତା ଓ ଜାତୀୟ ସମ୍ମିଳନୀରେ ଯୋଗ ଦେଇଛନ୍ତି । ଗଡ଼କରୀ ଅଭିଭାଷଣରେ କହିଛନ୍ତି, ପାର୍ଟି ଓ ସିଦ୍ଧାନ୍ତ ମଧ୍ୟରେ ସବୁବେଳେ ସିଦ୍ଧାନ୍ତ ଗୁରୁତ୍ବପୂର୍ଣ୍ଣ।
ମହତାବଙ୍କ ଜୀବନୀ, ତାଙ୍କ ଲେଖା ଓ ଦୂରଦୃଷ୍ଟିରୁ ଏହି ଶିକ୍ଷା ମିଳେ। ଆଧୁନିକ ଓଡ଼ିଶା ନିର୍ମାଣରେ ମହତାବଙ୍କ ଅତୁଳନୀୟ ଅବଦାନ ଥିଲା। ହୀରାକୁଦ ବନ୍ଧ ନିର୍ମାଣରେ ତାଙ୍କର ବଡ଼ ଅବଦାନ ଥିଲା। ଶିକ୍ଷା ମଣିଷ ସମାଜ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ। ଶିକ୍ଷାର ବିକାଶ ପାଇଁ ମହତ୍ବପୂର୍ଣ୍ଣ ପଦକ୍ଷେପ ନେଇଥିଲେ ମହତାବ। ମହତାବ କେବଳ ଓଡ଼ିଶା ନୁହେଁ ସାରା ଦେଶ ପାଇଁ ପ୍ରେରଣା ବୋଲି କହିଛନ୍ତି ଗଡ଼କରୀ ।
ଆଜି ଅପରାହ୍ନରେ ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ୧୯ଟି ପ୍ରକଳ୍ପର ସେ ଶିଳାନ୍ୟାସ ଓ ଲୋକର୍ପଣ କରିବେ । ଓଡ଼ିଶାକୁ ୪ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟିଦେବେ। ମଞ୍ଚେଶ୍ୱରରେ ଥିବା ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନରେ ଯିବେ ଗଡ଼କରୀ । ଅପରାହ୍ନ ୩ଟାରେ ରାଜ୍ୟର ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପର ସମୀକ୍ଷା କରିବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ରହିବେ ।