ରାସ୍ତା ଉପରେ ବିପଦଜନକ ଅବସ୍ଥାରେ ପଡ଼ିରହିଛି ଲକ୍ଷ୍ମୀ ବସ୍, କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ

ସରକାର ଜନସାଧାରଣଙ୍କ ସୁବିଧା ପାଇଁ ପ୍ରତି ଗାଁକୁ ଲକ୍ଷ୍ମୀ ବସ ଚଳାଚଳ କରିଛନ୍ତି । ବସ ଚଳାଚଳ ବି ହେଉଛି କିନ୍ତୁ ବସ ରଖିବା ପାଇଁ ସ୍ଥାନ ମିଳୁନାହିଁ ଯାହା ଫଳରେ ମୁଖ୍ୟ ରାସ୍ତାରେ ରହୁଛି ଲକ୍ଷ୍ମୀ ବସ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ । ଏହି ସ୍ଥାନରେ କର୍ମଚାରୀ ରହିବା ପାଇଁ ସୁବିଧା ନାହିଁ କିମ୍ବା ଯାତ୍ରୀ ରହିବା ପାଇଁ ବି ସୁବିଧା ନାହିଁ । ସରକାର ଦିଗପହଣ୍ଡିରେ ବସଷ୍ଟାଣ୍ଡ କରିଛନ୍ତି କିନ୍ତୁ ଲକ୍ଷ୍ମୀ ବସ ପାଇଁ ଏହା ପ୍ରଯୁଜ୍ୟ ହୋଇନାହିଁ । ପ୍ରଶାସନ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡିର ବିଭିନ୍ନ ଅଞ୍ଚଳକୁ ଲକ୍ଷ୍ମୀ ବସ ଯାତାୟାତର ବ୍ୟବସ୍ଥା କରିଥିଲେ ।

କିନ୍ତୁ ଏହାରି ଭିତରେ ସାତ ମାସ ବିତିଗଲାଣି କିନ୍ତୁ ବସ ରହିବା ପାଇଁ ସ୍ଥାନ ମିଳୁନାହିଁ ଯାହା ଫଳରେ ବସ ରାସ୍ତା ପାର୍ଶ୍ଵରେ ବିପଦ ଜନକ ଅବସ୍ଥାରେ ରହୁଛି । ତେଣୁ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ କର୍ମଚାରୀ କହିଛନ୍ତି ବସ ରଖିବା ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ କିମ୍ବା କର୍ମଚାରୀ ରହିବା ପାଇଁ ମଧ୍ୟ କୌଣସି ସୁବିଧା ନାହିଁ । ବସରେ କାମ କରୁଥିବା ମହିଳା କର୍ମଚାରୀ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ପାଇଁ ଦାବୀ କରିଛନ୍ତି ବସ କର୍ମଚାରୀ ।

ଅନ୍ୟପଟେ ବସ ଯାତାୟାତ ହେବା ପରେ ଗାଁରୁ ଯିବା ଆସିବା ପାଇଁ ବେଶ ସୁବିଧା ହୋଇପାରୁଥିବା କହିଛନ୍ତି କଲେଜ ଛାତ୍ରୀ । ତେବେ ଯେଉଁ ସ୍ଥାନରେ ବସ ରହୁଛି ତାହାକୁ ନେଇ ବହୁତ ଅସୁବିଧା ହେଉଛି । ଗାଁରୁ ଦିଗପହଣ୍ଡି ବ୍ଲକ ସଦର ମହକୁମାକୁ ଛଅ ଗୋଟି ବସ ଯାତାୟାତ କରୁଛି । ଯାହା ହେଉଛି ବସ ଦୁର୍ଘଟଣା ଅଞ୍ଚଳ । ତେଣୁ କେତେବେଳେ କ’ଣ ଅସୁବିଧା ହେବ କହିହେବ ନାହିଁ ବୋଲି କହିଛନ୍ତି ଛଅ ଗୋଟି ବ୍ଲକ ଦାୟିତ୍ୱରେ ଥିବା ADM ।

ହେଉଥିବା ଅନେକ ଅସୁବିଧା ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ତେଣୁ ତିଆରି ହୋଇଥିବା ନୂଆ ବସଷ୍ଟାଣ୍ଡରେ ହେଉ କିମ୍ବା ଅନ୍ୟ ସ୍ଥାନରେ ବସ ରଖିବା ପାଇଁ ଜାଗା ଦେବା ପାଇଁ ଅନୁରୋଧ କରିଛନ୍ତି ADM । ଅପର ପକ୍ଷେ ମୁଖ୍ୟ ରାସ୍ତାରେ ବସ ରହିବା ଫଳରେ ଅସୁବିଧା ଭୋଗୁଥିବା କହିଛନ୍ତି ବ୍ଲକ କଲୋନୀ ବାସିନ୍ଦା । ତେଣୁ ଶୀଘ୍ର ବିକଳ୍ପ ବ୍ୟବସ୍ଥା କରିବାକୁ ଦାବୀ ଜଣାଇଛନ୍ତି କଲୋନୀ ବାସିନ୍ଦା । କେବେ ଏହି ଲକ୍ଷ୍ମୀ ବସ ଏବଂ ଏହାର କର୍ମଚାରୀଙ୍କ ପାଇଁ ଏକ ଉପଯୁକ୍ତ ସ୍ଥାନ ଦିଆଯିବ ତାହା ଦେଖିବା ବାକି ରହିଲା ।