ପୁରୀ : ବାତ୍ୟା ଦାନାର ମୁକାବିଲା ପାଇଁ ପୁରୀରେ ଚାଲିଛି ପ୍ରସ୍ତୁତି । ବାତ୍ୟା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନହେବ ସେଥିପାଇଁ ମନ୍ଦିର ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ନେଇଛି। ଏପରିକି ହବିଷ୍ୟାଳି ଓ ସର୍ବସାଧାରଣ ଲୋକଙ୍କ ପାଇଁ ୨୪ ଓ ୨୫ ଦୁଇ ଦିନ ଦର୍ଶନ ବନ୍ଦ ରହିବ । ସେପଟେ ହବିଷ୍ୟାଳି କେନ୍ଦ୍ରରେ ବି ବାତ୍ୟା ମୁକାବିଲା ନେଇ ହୋଇଛି ପ୍ରସ୍ତୁତି ଚାଲିଛି । ହବିଷ୍ୟାଳି କେନ୍ଦ୍ରରେ ଯଦି ବିଦ୍ୟୁତ ସେବା ବିଚ୍ଛିନ୍ନ ହୁଏ, ତେବେ ଡିଜି ସେଟ୍ ରଖାଯାଇଛି । ଆବଶ୍ୟକ ଅନୁଯାୟୀ ଖାଦ୍ୟ ମହଜୁଦ ରଖାଯାଇଛି । ଆଜି ଓ ଆସନ୍ତାକାଲି ପାଇଁ ହବିଷ୍ୟାଳୀଙ୍କ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ବାତିଲ କରାଯାଇଛି ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ।
ଅନ୍ୟପଟେ ଆନନ୍ଦ ବଜାରରୁ ଅସ୍ଥାୟୀ ଟିଣ ବାହାର କରି ଦିଆଯାଇଛି । ବର୍ଷା ପାଣିରୁ ରକ୍ଷା ପାଇଁ ଅସ୍ଥାୟୀ ଖଟସେଜ ଘର ପାଇଁ ବ୍ୟବସ୍ଥା କରାଯାଇଛି । ସେହିପରି ଶ୍ରୀମନ୍ଦିର ପ୍ରଶାସନ ସିଂହଦ୍ବାର ସମ୍ମୁଖରୁ ଏଲ୍ଇଡି ସ୍କ୍ରିନ୍ ଅପସାରଣ କରିଛି । କୋଇଲି ବୈକୁଣ୍ଠ ପରିସର ଗୃହରେ ଟିଣ ସେଟ୍ ଛାତ ଉପରେ ବାଲି ବସ୍ତା ଦିଆଯାଇଛି । ଭକ୍ତଙ୍କ ସୁବିଧା ପାଇଁ ଧାଡ଼ି ବ୍ୟବସ୍ଥା ବାରିକେଡ୍ ଉପର ଛାତ କଢ଼ାଯାଇଛି । ସିଂହଦ୍ବାର ସମ୍ମୁଖ ଧାଡ଼ି ବ୍ୟବସ୍ଥା ଉପରେ ପାଲ କରାଯାଇଛି । ସିସିଟିଭି ବ୍ୟବସ୍ଥା ପ୍ରଭାବିତ ନ ହେବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ହୋଇଛି ।