୨୦୧୮ ନୁହେଁ, ୨୦୧୯ରେ ନିର୍ବାଚନ ହେବ । ପରୋକ୍ଷରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । କାରଣ ୨୦୧୯ ଜାନୁଆରୀ ମାସରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ସେ ସୂଚନା ଦେଇଛନ୍ତି । ଭୋଟର ତାଲିକା ସଂଶୋଧନ ନେଇ ସେ ଦେଇଥିବା ସୂଚନା ଅନୁସାରେ, ସେପ୍ଟେମ୍ବର ୧ରେ ତାଲିକା ପ୍ରକାଶ ପାଇବ । ସେପ୍ଟେମ୍ବର ୧ରୁ ଦାବି ଓ ଆପତ୍ତି ନେଇ ଲୋକ ଆବେଦନ କରିପାରିବେ । ଏହି ଅବଧି ଅକ୍ଟୋବର ୩୧ ତାରିଖ ପର୍ୟ୍ୟନ୍ତ ରହିଛି । ନଭେମ୍ବର ୩୦ ପୂର୍ବରୁ ଦାବି ଓ ଆପତ୍ତିର ଫଇସଲା ହେବ । ୨୦୧୯ ଜାନୁଆରୀ ୪ ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା ।
ସେହିପରି ଏଥର ରାଜ୍ୟରେ ପ୍ରଥମ ଥର ପାଇଁ ଭିଭିପାଟ୍ ମେସିନ ବ୍ୟବହାର ହେବ । ଓଡ଼ିଶାକୁ ୯୬ ହଜାର ଭିଭିପାଟ୍ ମେସିନ୍ ଦେବାକୁ ହାଇଦ୍ରାବାଦର ଇସିଆଇଏଲ କମ୍ପାନୀକୁ ଅର୍ଡ଼ର ଦିଆଯାଇଛି । ଆସନ୍ତା ସେପଟେମ୍ବର-ଅକ୍ଟୋବର ମାସ ଶେଷ ସୁଦ୍ଧା ଏହି ମେସିନ୍ ଓଡ଼ିଶାରେ ପହଞ୍ଚିବ । ତେବେ ଅଗଷ୍ଟ ୧୫ ସୁଦ୍ଧା ଜିଲ୍ଲାମାନଙ୍କରେ ଇଭିଏମ୍ ଆଣିବାକୁ ଲକ୍ଷ୍ୟ ରଖାଯୋଇଛି । ଇଭିଏମ ଏବଂ ଭିଭିପାଟ ମେସିନ୍ ସୁରକ୍ଷିତ ରଖିବା ପାଇଁ ଗୋଦାମ ଘର ନିର୍ମାଣ ସକାଶେ ରାଜ୍ୟ ସରକାର ୧୨୪ କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ସେହିପରି ଏଥର ଅଧିକ ବୁଥ ନିର୍ମାଣ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।.