ରାଜନଗର : ସମୁଦ୍ର ଭିତରେ ମାଛ ଧରା ଉପରେ କଟକଣା । କଇଁଛ ସୁରକ୍ଷା ପାଇଁ ସରକାର ୭ ମାସର କଟକଣା ଲଗାଇଛନ୍ତି ସରକାର । ଯାହାକୁ ନେଇ ଏବେ ଚିନ୍ତାରେ ମତ୍ସ୍ୟଜୀବି । ଏହା ଟ୍ରଲର ମାଲିକ ଓ ମତ୍ସ୍ୟଜୀବୀଙ୍କୁ ଚିନ୍ତାରେ ପକାଇ ଦେଉଛି । ଆଜିଠାରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ସାତ ମାସ ଧରି ଧାମରା ମୁହାଣରୁ ଦେବୀ ମୁହାଣ ପର୍ଯ୍ୟନ୍ତ ମାଛ ଧରା ବ୍ୟାନ କରାଯାଇଛି । ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ଏହି କଟକଣା ଲଗାଯାଇଛି।
ସମୁଦ୍ର ଉପକୂଳ ଠାରୁ ୨୦ ମାଇଲ ପର୍ଯ୍ୟନ୍ତ କୌଣସି ଯନ୍ତ୍ର ଚଳିତ ଡଙ୍ଗା କିମ୍ବା ଟ୍ରଲର ସମୁଦ୍ର ମଧ୍ୟକୁ ପ୍ରବେଶ ଉପରେ ବାରଣ କରାଯାଇଛି । ଯଦି ଏହି ନିୟମକୁ ଯେଉଁ ମତ୍ସଜୀବୀ ଉଲ୍ଲଘଂନ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇ ଦିଆଯାଇଛି । ଶୀତଦିନ ଆରମ୍ଭ ହେଉଥିବାରୁ ଅଲିଭ ରିଡ଼ଲେ କଇଁଛ ଏହି ସମୟରେ ଅଣ୍ଡା ଦାନ ପାଇଁ ଉପକୂଳ ଆଡକୁ ଆସିଥାନ୍ତି । ସେମାନଙ୍କ ସୁରକ୍ଷା ସହିତ ବିରଳ ମାଛ ବଂଶ ବୃଦ୍ଧି, ପ୍ରଜାନନ ଓ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।
ଦୀର୍ଘ ୭ ମାସ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ସେହିଭଳି ପାରାଦ୍ବୀପର ମହାନଦୀ ମୁହାଣ, ଦେବୀ, ଋଷିକୂଲ୍ୟା ଓ ବରୁଣେଇ ମୁହାଣରେ ମଧ୍ୟ ମାଛଧରା ଉପରେ କଟକଣା ଜାରି କରାଯାଇଛି । ଆଜିଠାରୁ ଏହା ଲାଗୁ ହୋଇ ଆସନ୍ତା ବର୍ଷ ମେ ୩୧ ପର୍ଯ୍ୟନ୍ତ ବଳ ବତ୍ତର ରହିବ ବୋଲି ଜଣାପଡ଼ିଛି । ଏହି ସମୟରେ ମାଛ ଧରିଲେ କଇଁଛ ମାନଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ କଟକଣାକୁ କଡାକଡି କରାଯାଇଥିବା ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।
ସୂଚନା ଥାଉ କି ପ୍ରତିବର୍ଷ ନଭେମ୍ବରରୁ ମେ ମଧ୍ୟରେ ବିରଳ ପ୍ରଜାତିର ଅଲିଭ୍ ରିଡ଼ଲେ କଇଁଛଙ୍କ ସଙ୍ଗମ ଓ ଅଣ୍ତାଦାନ ପାଇଁ ରାଜ୍ୟର ଋଷିକୂଲ୍ୟା, ଦେବୀନଦୀ ମୁହାଣକୁ ଆସିଥାନ୍ତି । ତେବେ ସମୁଦ୍ର ମଧ୍ୟରେ ମୋଟର ଚାଳିତ ଡଙ୍ଗା, ବେଆଇନ୍ ଟ୍ରଲର ଚଳାଚଳ ଯୋଗୁଁ ସେମାନେ ବହୁ ସଂଖ୍ୟାରେ ମୃତ୍ୟୁବରଣ କରିଥାନ୍ତି । ଏହାସହ ଜୈବ ବିବିଧତା ମଧ୍ୟ ନଷ୍ଟ ହୋଇଥାଏ ।