ରାଜ୍ୟରେ ନାହିଁ ବନ୍ୟା ସ୍ଥିତି, ବନ୍ୟାଜଳ ପ୍ରବାହିତ ହେଉଥିବା ପୋଲ ଜଗିବେ ପୋଲିସ; ନିର୍ଦ୍ଦେଶ ଦେଲେ SRC

ଭୁବନେଶ୍ୱର : ମହାନଦୀ ଜଳସ୍ତର ବଢ଼ୁଛି । ହୀରାକୁଦ ଡ୍ୟାମର ୧୪ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି । ତଳିଆ ଅଞ୍ଚଳ କଣାସରେ ପାଣି ପଶିପାରେ । ରାତି ସୁଦ୍ଧା ଭାର୍ଗବୀ ଓ ଦୟାନଦୀରେ ପିକ୍ ପାର କରିବ ବନ୍ୟାଜଳ । ରାଜ୍ୟରେ ଏବେ ବନ୍ୟା ସ୍ଥିତି ନାହିଁ । କେବଳ ତଳିଆ ଅଞ୍ଚଳରେ ପଶିପାରେ ପାଣି, ସେଥିପାଇଁ ସତର୍କ ଅଛୁ । ଏହା କହିଛନ୍ତି ଜଳ ସଂପଦ ବିଭାଗର ମୁଖ୍ୟଯନ୍ତ୍ରୀ ଭକ୍ତ ରଂଜନ ମହାନ୍ତି । ଆଜି ରାତି ସୁଦ୍ଧା ଭାର୍ଗବୀ, ଦୟାନଦୀରେ ପିକ୍ ଅତିକ୍ରମ କରିବ ବନ୍ୟାଜଳ। ବନ୍ୟାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା, ପୁରୀ ଜିଲ୍ଲାର ଅଧିକାରୀମାନେ ସଜାଗ ଅଛନ୍ତି । ବୈତରଣୀ ବଢ଼ୁଛି, ବଡ଼ ବର୍ଷା ନଥିବାରୁ ଏବେ ଜଳସ୍ତର ଖସିବ। ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜଳକା ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିବା ସେ ସୂଚନା ଦେଇଛନ୍ତି ।

ଅନ୍ୟପଟେ ବନ୍ୟା ଜଳ ପାଇଁ ବିଭିନ୍ନ ପୋଲ ଉପରେ ୪-୫ ଫୁଟ ପର୍ଯ୍ୟନ୍ତ ପାଣି ଚାଲୁଚି । ବନ୍ୟାଜଳ ପ୍ରବାହିତ ହେଉଥିବା ପୋଲ ଉପରେ ଚଳାଚଳ ନିଷେଧ କରାଯାଇଛି। ଏପରି ସ୍ଥାନରେ ପୋଲିସ ସଜାଗ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି SRC ସତ୍ୟବ୍ରତ ସାହୁ। ମହାନଦୀର ଜଳସ୍ତର ବଢୁଥିବାରୁ ଅବବାହିକାରେ ଥିବା ୧୦ ଜିଲ୍ଲାର ଜିଲ୍ଳାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏସବୁ ଜିଲ୍ଲାଗୁଡ଼ିକ ହେଲା ସମ୍ବଲପୁର, ସୋନପୁର, ନୟାଗଡ଼, ଅନୁଗୋଳ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା। ଆବଶ୍ୟକ ପଡ଼ିଲେ ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପାଣି ପ୍ରବାହିତ ହେଉଥିବା ରାସ୍ତା, ବ୍ରିଜ ଉପରେ ଯାଆସ ନକରିବାକୁ କୁହାଯାଇଛି। ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.