ଜିରୋ ନାଇଟ ପାଇଁ ଦିଆଯିବ ନାହିଁ ଅସ୍ଥାୟୀ ଲାଇସେନ୍ସ, ଚୋରା ମଦ ବିକ୍ରି କଲେ ବନ୍ଧା ହେବେ: ମନ୍ତ୍ରୀ

ଭୁବନେଶ୍ୱର : ଆଗକୁ ଆସୁଛି ନୂଆବର୍ଷ । ସେଥିଲାଗି ସବୁଠୁ ଜୋରଦାର ପ୍ରସ୍ତୁତି ଚାଲିଛି । ତେବେ ନୂଆବର୍ଷକୁ ଆହୁରି ରଙ୍ଗୀନ କରେ ଜିରୋ ନାଇଟ୍ ସେଲିବ୍ରେସନ । ବିଭିନ୍ନ ହୋଟେଲ, ସଂସ୍ଥା ପକ୍ଷରୁ ଏହି ଜିରୋ ନାଇଟ୍ ଆୟୋଜନ କରାଯାଇଥାଏ । ଦେଶ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ପାଲନ ହେବ ଜିରୋ ନାଇଟ୍ ସେଲିବ୍ରେସନ୍ ।  ଭୋଜି ଭାତ, ନାଚ ଗୀତର ଆସର ଜମିଥାଏ । ତେବେ ସେଲିବ୍ରେସନ୍ ବେଳେ ଯେପରି କୌଣସି ଅପରାଧ ନଘଟେ ତା’ ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର ।

ଏହାକୁ ଦୃଷ୍ଟିରେ ରଖି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଜିରୋ ନାଇଟ ପାଇଁ ଦିଆଯିବ ନାହିଁ କୌଣସି ଅସ୍ଥାୟୀ ଲାଇସେନ୍ସ ।  ଚୋରା ମଦ ବିକ୍ରି କଲେ ସରକାର ନେବେ କଠୋର କାର୍ଯ୍ୟାନୁଷ୍ଠାନ । ଜିରୋ ନାଇଟ ସେଲିବ୍ରେସନର ଆଳ ଦେଖାଇ କେହି ଚୋରା ମଦ ବିକ୍ରି କରିପାରିବେ ନାହିଁ । ଆଗାମୀ ଜାନୁଆରୀ ଶେଷ ପର୍ୟ୍ୟନ୍ତ କଡ଼ା ଚେକିଂ ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।  ପ୍ରତ୍ୟେକ ଜିଲ୍ଲାକୁ ମଧ୍ୟ ଜଣାଇ ଦିଆଯାଇଛି ବୋଲି ଆଇନ ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି ।