ଦୁର୍ଗାପୂଜା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି, ୬୫ ଦେଶିବାଲ୍ ଉପରେ କୌଣସି ବାଜା ବାଜିବ ନାହିଁ

କଟକ: ନୂଆ ଡିସିପି ଓ ପୋଲିସ କମିଶନର ଯୋଗ ଦେବା ପରେ କଟକରେ ପୁଣି ଥରେ କମିଶନରେଟ ପୋଲିସର ଦୁର୍ଗାପୂଜା ପ୍ରସ୍ତୁତି ବୈଠକ। କମିଶନର ସୁରେଶ ଦେବଦତ୍ତ ସିଂହ ଓ ଡିସିପି ଜଗମୋହନ ମୀନା ବୈଠକରେ ଉପସ୍ଥିତ ଥିଲେ। କଟକ ମହାନଗର ପୂଜା କମିଟି ଓ ମହାନଗର ଶାନ୍ତି କମିଟି କର୍ମକର୍ତ୍ତାଙ୍କ ସହ ବିଭିନ୍ନ ପୂଜା କମିଟି କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ ।

ବୈଠକରେ ମୁଖ୍ୟତଃ ନିଶା ସେବନ ଓ ଶବ୍ଦ ପ୍ରଦୂଷଣକୁ ନେଇ ଆଲୋଚନା ହୋଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶର କଡାକଡି ଭାବରେ ଅନୁପାଳନ କରାଯିବ ବୋଲି କହିଲେ ସିପି ଓ ଡିସିପି । ନିୟମ ଭାଙ୍ଗିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଲେ କମିଶନର । ସାଉଣ୍ଡ ବକ୍ସ ହେଉ କି ପାରମ୍ପରିକ ବାଜା ୬୫ ଦେଶିବାଲ୍ ଉପରେ କୌଣସି ବାଜା ବାଜି ପାରିବ ନାହିଁ ବୋଲି ସ୍ପଷ୍ଟ କଲା କମିସନରେଟ ପୋଲିସ । ଡିଜେ ବ୍ୟାନ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ପୂଜା କମିଟି ।

ଶବ୍ଦ ପ୍ରଦୂଷଣ ଏକ ବଡ ସମସ୍ୟା ବୋଲି କହିଲେ ମହାନଗର ପୂଜା କମିଟି ଓ ଶାନ୍ତି କମିଟି । ରାତି ୧୦ ଟା ପର୍ଯ୍ୟନ୍ତ ମାଇକ ବକ୍ସ ବଜାଇବା ପାଇଁ ନିୟମ ରହିଥିବା ବେଳେ, ଏହାକୁ ରାତି ୧୨ ଟା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଅପିଲ ରଖିଲେ ପୂଜା କମିଟି । ବିନା ବାଜାରେ ମାଙ୍କର ବିସର୍ଜନ ଶୋଭାଯାତ୍ରା କିପରି ହେବ ବୋଲି ପ୍ରଶ୍ନ ଉଠାଇଲା କଟକ ମହାନଗର ଶାନ୍ତି କମିଟି । ରାତିରେ କେଉଁ ପ୍ରକାର ପାରମ୍ପରିକ ବାଜା ବାଜିବ, କେତେ ସଂଖ୍ୟାରେ ବାଜିବ ସେ ନେଇ ନିଆଯିବ ନିଷ୍ପତ୍ତି ।