ପାଣି ଚାଲୁଥିବା ପୋଲକୁ ଜଗିବ ପୋଲିସ : ଏସଆରସି

ଭୁବନେଶ୍ୱର/ମାଲକାନଗିରି: ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ବର୍ଷା ଜଳରେ ହନ୍ତସନ୍ତ ହେଉଛନ୍ତି ବାସିନ୍ଦା । ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ପାଇଁ ନଦୀରେ ବନ୍ୟା ଆସିବାରୁ ପୋଲ ଉପରେ ୪-୫ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି । ଫଳରେ ପୋଲର ଉଭୟ ପାର୍ଶ୍ବରେ ଗାଡ଼ିମୋଟର ଅଟକି ରହିଛି । ଏହି ସମୟରେ ଜଳମଗ୍ନ ରାସ୍ତା ଓ ପୋଲ ଉପରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ପାଇଁ ଏସଆରସି କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ପାଣି ଚାଲୁଥିବା ବ୍ରିଜ ନିକଟରେ ସ୍ଥାନୀୟ ପୋଲିସ ଓ ଅଫିସର ମୁତୟନ ହେବେ। ବ୍ରିଜରୁ ଜଳ ନ ଛାଡ଼ିଲା ପର୍ଯ୍ୟନ୍ତ ସ୍ଥାନୀୟ ପୋଲିସ ତଦାରଖ କରିବେ ବୋଲି ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ତଳିଆ ଅଞ୍ଚଳରୁ ପ୍ରଭାବିତ ଲୋକଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯିବ । ସ୍ଥାନାନ୍ତର ହୋଇଥିବା ଲୋକମାନଙ୍କୁ ରନ୍ଧାଖାଦ୍ୟ ଦିଆଯିବ । ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖି ଆବଶ୍ୟକୀୟ ପଦକ୍ଷେପ ନେବାକୁ ଏସଆରସିଙ୍କ ନିର୍ଦ୍ଦେଶ ।
ସେପଟେ ଲଗାଣ ବର୍ଷାରେ ମାଲକାନଗିରି ବେହାଲ । ଅସ୍ତବ୍ୟସ୍ତ ଜନଜୀବନ । କାଲି ରାତିଠାରୁ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ମାଲକାନଗିରି ଜିଲ୍ଲାରେ ବନ୍ୟା ଯୋଗୁ ବିଭିନ୍ନ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ପୋଟେରୁ ନଦୀରେ ବନ୍ୟା ଆସିବାରୁ ପୋଲ ଉପରେ ୪ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି । ଫଳରେ ପୋଲର ଉଭୟ ପାର୍ଶ୍ବରେ ଗାଡ଼ିମୋଟର ଅଟକି ରହିଛି । କାଲିମେଳା ଠାରୁ ମୋଟୁକୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥର କାଙ୍ଗୁରୁକୋଣ୍ଡାଓ ଏମଭି-୯୬ ପୋଲ ଉପରେ ୩ରୁ୪ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି । ପୋଲର ଉଭୟ ପାର୍ଶ୍ବରେ ଗାଡ଼ିମୋଟର ଅଟକି ରହିଛି। ଆଜି ମଧ୍ୟ ମାଲକାନଗିରି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ପ୍ରବଳ ବର୍ଷା ଯୋଗୁଁ ବେହାଲ ହୋଇପଡ଼ିଛି କାଲିମେଳା । ପ୍ରତ୍ୟେକ ପୋଲ ଉପରେ ୪ରୁ ୫ ଫୁଟ ଉଚ୍ଚର ବନ୍ୟାପାଣି ପ୍ରବାହିତ ହେଉଛି । ପୋଟେରୁ, କାଙ୍ଗୁରୁକୋଣ୍ଡା, ଏମଭି-୯୦, ଏମଭି-୯୬ର ପ୍ରତ୍ୟେକ ପୋଲ ଉପରେ ୪ରୁ ୫ ଫୁଟ ପାଣି ପ୍ରବାହିତ ହେଉଛି । ସେପଟେ କାଲିମେଳାରୁ ପଡିଆକୁ ଯୋଗାଯୋଗ ବିଛିନ୍ନ ରହିଛି । କନ୍ୟାଶ୍ରମ ବ୍ରିଜରେ ମଧ୍ୟ ସମାନ ଅବସ୍ଥା l ମାଲକାନଗିରି ଠାରୁ ସୀମାନ୍ତ ମୋଟୁକୁ ସମ୍ପୂର୍ଣ୍ଣ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି ।