ଧୀରେ ଧୀରେ ସ୍ବାଭାବିକ ହେଉଛି ଭଦ୍ରକ ଓ ଧାମନଗର ସ୍ଥିତି, ଏବେ ବି ଜାରି ରହିଛି ୧୬୩ ଧାରା

ଭଦ୍ରକ : ଧୀରେ ଧୀରେ ସ୍ବାଭାବିକ ହେଉଛି ଭଦ୍ରକ ଓ ଧାମନଗର ସ୍ଥିତି । କିନ୍ତୁ ଏବେ ବି ଜାରି ରହିଛି ୧୬୩ ଧାରା । କଟକଣା ଜାରି ଅଞ୍ଚଳରେ ରାତି ୮ଟା ପର୍ଯ୍ୟନ୍ତ ଖୋଲୁଛି ଦୋକାନ ବଜାର । ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ପ୍ରଥମେ ଧାମନଗର ଓ ପରେ ଭଦ୍ରକ ପୁରୁଣା ବଜାର ଅଞ୍ଚଳ ବୁଲି ସ୍ଥିତି ପରଖିଛନ୍ତି । ଏଡିଜି ସଞ୍ଜୟ କୁମାରଙ୍କ ସହ ବାସ୍ତବ ସ୍ଥିତି ବୁଲି ଦେଖିବା ସହ ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ ଓ ଏସପି ବରୁଣ ଗୁଣ୍ଠୁପାଲ୍ଲୀଙ୍କ ଠାରୁ ଆଇନ ଶୃଙ୍ଖଳା ପରିସ୍ଥିତି ଓ ପୋଲିସର ପଦକ୍ଷେପ ସମ୍ପର୍କରେ ପଚାରି ବୁଝିଛନ୍ତି ।

ଭଦ୍ରକ ପୁରୁଣା ବଜାର ଅଞ୍ଚଳର ସନ୍ଥିଆ, ନଙ୍ଗା ମହଲା ବୁଲି ଦେଖି ସ୍ଥିତିର ସମୀକ୍ଷା କରିଛନ୍ତି । କୌଣସି ପ୍ରକାର ଗୁଜବକୁ ବିଶ୍ବାସ ନକରିବାକୁ ପରାମର୍ଶ ଦେବା ସହ ଗୁଜବ ସୃଷ୍ଟିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଯିବ ବୋଲି କହିଛନ୍ତି ଡିଜିପି । ଗତ ଶୁକ୍ରବାର ଠାରୁ ଉତ୍ତେଜନା ସୃଷ୍ଟି ହୋଇଥିବା ଭଦ୍ରକ ପୁରୁଣା ବଜାର ସହିତ ଧାମନଗର ଏନଏସି ଅଞ୍ଚଳରେ ଏବେ ବି ୧୬୩ ଧାରା ଜାରି ରହିଛି ।

ଇଣ୍ଟରନେଟ ସେବାକୁ ମଧ୍ୟ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ପୁରୁଣା ବଜାର ଓ ଧାମନଗର ଅଞ୍ଚଳରେ ୧୮ପ୍ଲାଟୁନ ପୋଲିସ ଫୋର୍ସ ସହିତ ଦୁଇ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସ ମୁତୟନ ହୋଇଛନ୍ତି । ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ ସହ ପୋଲିସ ଉପରେ ଆକ୍ରମଣ ଓ ରାସ୍ତାରୋକ ଆଦି ଘଟଣାରରେ ୮ଟି ମାମଲା ରୁଜୁ ହୋଇଛି । ଏଥିରେ ସମ୍ପୃକ୍ତ ୩୩ଜଣଙ୍କୁ ଗିରଫ କରାଯାଇଛି । ସେପଟେ ଲିଜ ଲାଇନ ଜରିଆରେ ବ୍ୟାଙ୍କ, ପୋଷ୍ଟ ଅଫିସରେ ଇଣ୍ଟରନେଟ ସେବା ଯୋଗାଇ ଦିଆଯାଇଛି । ଧାମନଗରରେ ଦୋକାନ ବଜାର ରାତି ୮ ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like