ଅନ୍ଧବିଶ୍ୱାସ ଆଗରେ ଫିକା ପଡିଛି ସଚେତନତା, ରାୟଗଡା ଜିଲ୍ଲାରେ ଚିନ୍ତା ବଢାଇଛି ବାଲ୍ୟ ବିବାହ

ବାଲ୍ୟ ବିବାହ ଏକ ସାମାଜିକ ବ୍ୟାଧି । ନୀରକ୍ଷରତା, ଦାଦନ, ଅନ୍ଧବିଶ୍ୱାସ ସହିତ ସାମାଜିକ ସଚେତନତା ଅଭାବରୁ ବାଲ୍ୟ ବିବାହ ପ୍ରଥା ମୂଳପୋଛ ହେବାର ନା ଧରୁନି । ଆଦିବାସୀ ପ୍ରବଣ ଅଞ୍ଚଳରେ ଏହି ପ୍ରଥା ଏକ ସାମାଜିକ ସମସ୍ୟା ଭାବେ ଉଭା ହୋଇଛି । ସେହିଭଳି ଏବେ ରାୟଗଡା ଜିଲ୍ଲାରେ ଚିନ୍ତା ବଢାଇଛି ବାଲ୍ୟ ବିବାହ । ରାୟଗଡା ଜିଲ୍ଲାର ଦୁର୍ଗମ ଅଗମ୍ୟ ଅଞ୍ଚଳରେ ଅନ୍ଧବିଶ୍ୱାସ ଓ ପାରମ୍ପରିକ ନିୟମର ବସବର୍ତ୍ତି ହୋଇ ବାପା ମା ନିଜ ଝିଅଙ୍କୁ ବାଲ୍ୟ ବିବାହ କରାଇଥାନ୍ତି ।

ଏହାକୁ ନେଇ ଅନେକ ସଚେତନତା ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ମଧ୍ୟ ଫଳ ଓଲଟା ହେଉଛି । ଯାହାକୁ ନେଇ ଏବେ ଚିନ୍ତାରେ ପଡିଯାଇଛନ୍ତି ସାମାଜିକକର୍ମୀ । ଜିଲ୍ଲାର ପ୍ରତି ଆଦିବାସୀ ଗାଁକୁ ବାଲ୍ୟ ବିବାହ ମୁକ୍ତ କରିବା ଦିଗରେ ବହୁବାର ଉଦ୍ୟମ କରାଯାଇଛି । ତଥାପି ଏହାର କୌଣସି ସୁଫଳ ମିଳିପାରୁନାହିଁ । ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଅନେକ ନାବାଳିକାଙ୍କୁ ବିବାହ ପୂର୍ବରୁ କିମ୍ବା ନାବାଳିକାଙ୍କ ଘରୁ ଉଦ୍ଧାର କରାଯାଉଛି ।

ଅନେକ ଗର୍ଭବତୀ ନାବାଳିକଙ୍କୁ ଉଦ୍ଧାର କରାଯାଇ ସୁଧାର ଗୃହକୁ ପଠାଇ ଦିଆଯାଉଛି । ଏତେ ସବୁ ପରେ ବି ନାବାଳିକା ବିବାହ କମୁନଥିବା ଅଭିଯୋଗ ହୋଇଛି । ଗତ ୪ ବର୍ଷ ମଧ୍ୟରେ ଜିଲ୍ଲାର ୪୦୦ ନାବାଳିକାଙ୍କୁ ବିବାହ ପୂର୍ବରୁ ଓ ବିବାହ ପରେ ଉଦ୍ଧାର କରାଯାଇଥିବା ଜଣାପଡିଛି । ୨୦୨୦ ମସିହାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୯୭ ଜଣ ନାବାଳିକାକୁ ଉଦ୍ଦାର କରାଯାଇଥିବା ବେଳେ ୨୦୨୧ ମସିହାରେ ୮୯ ଜଣ, ୨୦୨୨ ରେ ୧୨୧ ଜଣ ଏବଂ ୨୦୨୩ ମସିହାରେ ୯୮ ଜଣଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଥିବା ଜଣାପଡିଛି ।

ଅନ୍ୟପଟେ ଗ୍ରାମାଞ୍ଚଳରେ ବାଲ୍ୟ ବିବାହ ମୁକ୍ତ ଗାଁ ଗଠନ କରିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି ବୋଲି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କହିଛନ୍ତି । ବର୍ତ୍ତମାନ ସମୟରେ ବାଲ୍ୟ ବିବାହ ବେଆଇନ୍ ଜାଣିଥିଲେ ବି ଅନେକ ସ୍ଥାନରେ ଅଭିଭାବକମାନେ ସଚେତନ ହେଉନାହାନ୍ତି । ବାଲ୍ୟ ବିବାହ ଦାୟିତ୍ୱରୁ ମୁକ୍ତି ନୁହେଁ ବରଂ ଏହା ଶୈଶବ ପ୍ରତି ଅନ୍ୟାୟ ।

ତଥାପି ଶିକ୍ଷା ଓ ସଚେତନତା ଅଭାବରୁ ଆଜି ବି ଏହି ପ୍ରଥା ଚାଲିଆସିଛି । ତେଣୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଗଠନ କରିବା ପାଇଁ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି । ଗାଁ ଗାଁରେ ଏଥିପ୍ରତି ଉଚିତ୍ ପଦକ୍ଷେପ ଗ୍ରହଣ କଲେ ଆଦିବାସୀ ଅଧୂଷିତ ରାୟଗଡା ଜିଲ୍ଲାର ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବେ ପରିଗଣିତ ହେବ ବୋଲି ବୁଦ୍ଦିଜୀବୀ ମତ ଦେଇଛନ୍ତି ।