ପୁରୀ: ଉଚ୍ଛେଦ ପ୍ରକ୍ରିୟାରେ ଏବେ ମଙ୍ଗୁ ମଠ ପାଳି, ମାପଚୁପ ଶେଷ କରିଛି ପୌରସଂସ୍ଥା ଓ ପୁର୍ତ୍ତ ବିଭାଗ

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିର ଚତୁପାର୍ଶ୍ୱ, ଏମାର, ଲଂଗୁଳି ଓ ବଡ ଆଖଡା ମଠ ଉଚ୍ଛେଦ ପରେ ଏବେ ଅନ୍ୟ ଅସୁରକ୍ଷିତ ମଠ ଉଚ୍ଛେଦ ନେଇ ପ୍ରକାଶ ପାଇଛି ତତ୍ପରତା । ଗତକାଲି ମଂଗୁ ମଠର ମାପଚୁପ ଶେଷ କରିଛି ପୌରସଂସ୍ଥା ଓ ପୁର୍ତ୍ତ ବିଭାଗ । ୭୫ ମିଟର ପରିସୀମା ମଧ୍ୟରେ ଏହି ପୁରାତନ ନାନକପନ୍ଥୀ ମଠ ସହ ରାଧା ବହ୍ଲବ ଓ ସାତଛତା ମଠ ମଧ୍ୟ ଆସୁଛି । ରାଧାବହ୍ଲବ ମଠର ସମ୍ମୁଖ କିଛି ଅଂଶ ମଧ୍ୟ ଭଙ୍ଗାଯିବ ବୋଲି ପ୍ରଶାସନ ମଠର ମହନ୍ତ ରାମକୃଷ୍ଣ ଦାସଙ୍କୁ ଜଣାଇ ଦେଇଛନ୍ତି । ରାମନନ୍ଦ ସଂପ୍ରଦାୟର ସାତଛତା ମଠ ମଧ୍ୟ ୭୫ ମିଟର ପରୀସୀମା ମଧ୍ୟରେ ଆସୁଥିବାରୁ ଏହାକୁ ଉଚ୍ଛେଦ କରିବାକୁ ପ୍ରଶାସନ ମଠର ମହନ୍ତଙ୍କ ସହ ଆଲୋଚନା କରିଛନ୍ତି । ଏହି ସାନଛତା ମଠ ସଂପୂର୍ଣ୍ଣ ନୂତନ ଭାବେ ନିର୍ମାଣ ହୋଇଥିବାରୁ ଏହା ଅସୁରକ୍ଷିତ ନୁହେଁ । ସେହିପରି ଏହି ମଠଟି କେବଳ ନିଜସ୍ୱ ସ୍ଥାନରେ ନିର୍ମାଣ ହୋଇଥିବାରୁ ଆବଶ୍ୟକ କ୍ଷତିପୂରଣ ସହ ଏହାକୁ ଉଚ୍ଛେଦ କରାଯିବା ପାଇଁ ସହମତି ନିଆଯାଇଛି । ସପ୍ତଦଶ ଶତାଦ୍ଦୀରରେ ପ୍ରତିଷ୍ଠା ହୋଇଥିବା ଏହି ମଠର ମାପଚୁପ ସରିଥିଲେ ମଧ୍ୟ ଏହାକୁ ପ୍ରଶାସନ ବିକଳ୍ପ ସ୍ଥାନ ଦେବା ପରେ ଉଚ୍ଛେଦ ହେବ ବୋଲି ସୂଚନା ମିଳିଛି । ତେଣୁ ପ୍ରଥମେ ମଂଗୁ ମଠର ଅସୁରକ୍ଷିତ ଥିବା ଦୋକାନ ଘର ଓ କୋଠାକୁ ଭାଙ୍ଗିବା ପାଇଁ ପ୍ରଶାସନ ଯୋଜନା କରୁଥିବା ଜଣାପଡିଛି ।