ବହୁ ଚର୍ଚ୍ଚିତ ୨୦୨୬ ନିଟ୍ -ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ନୂଆ ଖୁଲାସା । ପ୍ରଶ୍ନପତ୍ର ଲିକ୍ କରିଥିଲେ ଖୋଦ୍ NTAର ଅଧିକାରୀ। ସାମାନ୍ୟ ଟଙ୍କା ପାଇଁ ପ୍ରଶ୍ନପତ୍ର ଲିକ୍ ଭଳି ମହାବିଭ୍ରାଟ ରଚିଥିଲେ NTAର ବିଷୟଭିତ୍ତିକ ଏକ୍ସପର୍ଟ। ସିବିଆଇ ନିଜ ଚାର୍ଜସିଟ୍ ରେ ଉଲ୍ଲେଖ କରିଛି ଏଭଳି ତଥ୍ୟ। ପ୍ରଶ୍ନପତ୍ର ଲିକ୍ ପରେ ମଧ୍ୟସ୍ତି ଜରିଆରେ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଯାଉଥିଲା ପ୍ରଶ୍ନପତ୍ର।
ପ୍ରତିବଦଳରେ ମିଳୁଥିଲା ମୋଟା ଅଙ୍କର ଟଙ୍କା। ଦିଲ୍ଲୀର ରାଉସ୍ ଆଭିନ୍ୟୁ ସ୍ପେଶାଲ ସିବିଆଇ କୋର୍ଟରେ ଦାଖଲ ହୋଇଥିବା ୯୪ ପୃଷ୍ଠାର ଚାର୍ଜସିଟରୁ ମିଳିଛି ଏହି ସାଂଘାତିକ ତଥ୍ୟ। NTA ର ତିନିଜଣ ବିଶେଷଜ୍ଞ ପ୍ରଶ୍ନପତ୍ରର ଅନୁବାଦ ଓ ପ୍ରୁଫ୍ ରିଡିଂ ସମୟରେ ସୁରକ୍ଷା ବ୍ୟବସ୍ଥା ତ୍ରୁଟିର ସୁଯୋଗ ନେଇ ଏହି ବିଭ୍ରାଟ ରଚିଥିଲେ। ସିବିଆଇ ଏହି ମାମଲାରେ ୧୩ ଜଣଙ୍କ ନାମ ଚାର୍ଜସିଟରେ ଦାଖଲ କରିଥିବା ବେଳେ ଏମାନଙ୍କ ମଧ୍ୟରେ ଅଛନ୍ତି NTAର ତିନିଜଣ ଚୁକ୍ତିଭିତ୍ତିକ ଏକ୍ସପର୍ଟ। ସେମାନେ ହେଲେ ବଟାନୀ/ଜୁଲୋଜି ଏକ୍ସପର୍ଟ ମନୀଷା ଗୁରୁନାଥ ମାନ୍ଧାରେ, କେମିଷ୍ଟ୍ରି ଏକ୍ସପର୍ଟ ପ୍ରହ୍ଲାଦ ବିଠଲରାଓ କୁଲକର୍ଣ୍ଣି ଓ ଫିଜିକ୍ସ ଏକ୍ସପର୍ଟ ମନୀଷା ସଞ୍ଜୟ ହାଭାଲଦାର।
ନିଟ୍ -ୟୁଜି ପ୍ରଶ୍ନପତ୍ର ଲିକର ମୁଖ୍ୟପୁରୋଧା ଏହି ତିନିଜଣ ବୋଲି ଚାର୍ଜସିଟ୍ ରେ ଉଲ୍ଲେଖ କରିଛି ସିବିଆଇ। ବିଏନଏସର ଦୁର୍ନୀତିମୁକ୍ତ ଆଇନ ଅନୁଯାୟୀ ଏମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସେହିପରି ଅନ୍ୟ ୧୦ ଜଣ ଅଭିଯୁକ୍ତ ହେଉଛନ୍ତି ତେଜସ୍ ଶାହ, ଶିବରାଜ ମୋଟେଗାଁଓକର, ଡକ୍ଟର ମନୋଜ ସିରୁରେ, ମନିଷା ସଞ୍ଜୟ ୱାଘମାରେ, ଧନଞ୍ଜୟ ଲୋଖଣ୍ଡେ, ଶୁଭମ ଖୖରନାର୍ , ୟଶ୍ ଯାଦବ, ମଙ୍ଗିଲାଲ ବିୱାଲ, ଦିନେଶ ବିୱାଲ ଓ ବିକାଶ ବିୱାଲ।