ମହିମା ଧର୍ମର ନିଆରା ନୂଆଖାଇ ପର୍ବ, ସବୁ ସାଧୁସନ୍ଥ ଏକାଠି ବସି ପାଳିଲେ ନୂଆଖାଇ

ଭୁବନେଶ୍ୱର: ଅନ୍ଧାରୁଆ ଦାରୁଠେଙ୍ଗ ଗାଁ ର ପାଦ ପଦ୍ମ ମୁଣ୍ଡିଆରେ ସାଧୁସନ୍ଥଙ୍କର ମେଳା ଲାଗିଥିଲା । କୀର୍ତ୍ତନ ନାମ ଧ୍ୟାନ ରେ ସମ୍ପୂର୍ଣ ଅଂଚଳ ପ୍ରକମ୍ପିତ ହେଉଥାଏ l ସେଠାରେ ଉପସ୍ଥିତ ଥିବା ସାଧୁ ସନ୍ଥମାନେ କିଏ ଗେରୁଆ ତ ପୁଣି କାହା ଦେହରେ କୌପିନି ବସ୍ତ୍ର l କିଏ ପୁଣି ବକଳ ପରିଧାନ କରିଥାନ୍ତି l କେଉଁଠି ଚାଲିଥାଏ ପ୍ରାତଃ ଅର୍ଘ୍ୟ ଅର୍ପଣ ସ୍ୱରୂପ ବ୍ୟାୟାମ ତ ଆଉ କିଏ ଝାଞ୍ଜ ଖୋଳ ତାଳ ବଜାଉଥାନ୍ତି l ବିରାଟ ବିରାଟ ଚୁଡାଘଷା ହାଣ୍ଡି ଥୁଆ ହୋଇଥାଏ । କେତଜଣ ଚୁଡା ଘଷା ତିଆରି କରିବାରେ ଲାଗିଥାନ୍ତି l ବାଲଟି ବାଲଟି ଚୁଡା ଘଷା ତିଆରି ଚାଲିଥାଏ l ସେହିଠାରେ ଜଣେ ସନ୍ଥଙ୍କ ଚାରି ପାଖରେ ଅନେକ ସନ୍ଥ ଘେରି ରହିଥାନ୍ତି l କିଛି ଆଖିଖୋସା ଦୃଶ୍ୟ ମଧ୍ୟ ଆମ ନଜରକୁ ଆସିଲା l

ଆଜିର ଯୁଗରେ ବିଜ୍ଞାନର ଏତେ ଅଗ୍ରଗତି ହୋଇ ସୁଦ୍ଧା ଏହି ମହିମା ଧର୍ମର ସନ୍ଥମାନେ ଗୋଟିଏ ଆଦିମ କାଳର ପ୍ରଥାକୁ ଆପଣେଇ ରଖିଛନ୍ତି ଆଜି ପର୍ଯ୍ୟନ୍ତ l ତାହାହିଁ ଦେଖିବା ଭଳି ଦୃଶ୍ୟ ଥିଲା । ଏମାନେ ପଥରକୁ ଲୁହା ସହିତ ଘଷି ଘଷି କିଛି ସମୟରେ ନିଆଁ ବାହାର କଲେ l ତାପରେ ଖଣ୍ଡେ ଶୋଲ ସହିତ ସଂଯୋଗ କରାଇ ଧୀରେ ଧୀରେ ଗୋଟିଏ ନଡା ବିଡାରେ ଆଉ ତାପରେ ଗୋଟିଏ ଦୀପ ଜଳାଇଲେ l

ସେହି ଦୀପରୁ ଅନ୍ୟ ଦୀପ ଜଳାଇଲେ । ଆଉ ଜଳି ଉଠିଲା ଝାଡ଼ ଦୀପ ।l ସମସ୍ତେ ରୁଣ୍ଡ ହୋଇ ଅଲେଖ ମହିମା କହି କହି ଉପରକୁ ହାତ ଉଠାଇ ଧର୍ମ କଥା କହିବା ଆରମ୍ଭ କଲେ l ଏମାନେ କହୁଥିଲେ, ଭାରତ ହେଉଛି ଏକ ମାତ୍ର ଦେଶ ଯେଉଁଠି ସବୁ ଧର୍ମ ଲୋକ ବସବାସ କରନ୍ତି l ଖାଲି ସେତିକି ନୁହେଁ ସେମାନଙ୍କ ପର୍ବପର୍ବାଣି ମଧ୍ୟ ବିଭିନ୍ନ ସମୟରେ ପାଳନ କରିଥାନ୍ତି l ତେବେ ଓଡିଶାରୁ ଭୀମ ଭୋଇଙ୍କ ଠାରୁ ପ୍ରଚାର ପ୍ରସାର ହୋଇଥିବା ମହିମା ଧର୍ମ ଅତ୍ୟନ୍ତ ସ୍ୱତନ୍ତ୍ର l ଏହି ଧର୍ମାଵଲମ୍ବୀମାନଙ୍କର ଅନେକ ପର୍ବ ପର୍ବାଣି ମଧ୍ୟରୁ ନୂଆଖାଇ ପରମ୍ପରା ଟିକେ ନିଆରା l ତେବେ ଏହି ନୂଆଖାଇରେ ସ୍ୱତନ୍ତ୍ର ଭାବେ ଯାଇ ବିଲରୁ ନୂଆ ଧାନ ସଂଗ୍ରହ କରି ଆଣିଲା ପରେ ତାକୁ ଚୁଡା କରନ୍ତି l ସେହି ଚଡ଼ାକୁ ନୂଆ ଖାଇରେ ଖାଇଥାନ୍ତି l ସବୁ ସାଧୁସନ୍ଥ ଏକତ୍ରିତ ହୋଇ ଏହି ଚୁଡାରେ କଦଳୀ ଘିଅ ଛେନା ଏବଂ ବିଭିନ୍ନ ଫଳମୂଳ ପକାଇ ସୁସ୍ୱାଦୁ ଭାବରେ ତିଆରି କରନ୍ତି l ଏହା ସହିତ ଅନେକ ପ୍ରକାର ପିଠା

ମିଠା ପ୍ରସ୍ତୁତ କରି ରଖିଥାନ୍ତି l ସବୁ ସାଧୁ ସନ୍ଥମାନେ ସେହି ଦିନ ଏକାଠି ହୋଇ ଏହାକୁ ଖାଇ ନୂଆଖାଇ ପାଳନ କରନ୍ତି । ଆମେ ବି ଦେଖିଲୁ ଶେଷରେ ସମସ୍ତେ ଏକାଠି ବସିଲେ । କଦଳୀ ପତ୍ରରେ ତିଆରି ହୋଇଥିବା ପାତ୍ରରେ ସବୁ ସୁସ୍ୱାଦୁ ଖାଦ୍ୟ ପରସା ହେଲା ପରେ ଭୋଜନ କଲେ l ମହିମା ଧର୍ମ ହୁଏତ ସ୍ୱତନ୍ତ୍ର ତେବେ ଏଥିରେ ମଧ୍ୟ କୃଷି ଭିତ୍ତିକ ନୂଆଖାଇ ପର୍ବକୁ ଖୁବ୍‌ ସମ୍ମାନ ଦିଆଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like