ମାଟି ବୋହି ଶ୍ରମିକଙ୍କୁ ଉତ୍ସାହିତ କଲେ ନୂଆପଡ଼ା ଜିଲ୍ଲାପାଳ, ଚାରିଆଡ଼େ ହେଉଛି ଚର୍ଚ୍ଚା

ମନରେଗା ଯୋଜନାରେ ଦୈନିକ ୬୦ ହଜାରରୁ ଅଧିକ ଶ୍ରମିକ ନିୟୋଜିତ କରି କ୍ରମାଗତ ଭାବରେ ନୂଆପଡ଼ା ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନରେ ରହିଆସିଛି । ଜିଲ୍ଲାକୁ ପ୍ରବାସୀ ଶ୍ରମିକ ମୁକ୍ତ କରିବା ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶ ସମଗ୍ର ଜିଲ୍ଲା ପ୍ରଶାସନକୁ ସଙ୍ଗରେ ନେଇ ପ୍ରଚେଷ୍ଟା ଜାରି ରଖିଛନ୍ତି । ଜିଲ୍ଲାପାଳ ମଧୁସୂଦନ ଦାସ ଶ୍ରମିକ ମାନଙ୍କୁ ଉତ୍ସାହିତ କରିବା ସହିତ ସ୍ୱାଭିମାନୀ ହେବାକୁ ଜାଗ୍ରତ କରିବା ପାଇଁ ମନରେଗା କାମରେ ଶ୍ରମିକମାନଙ୍କ ସହ ଭାର ଧରି ମାଟି ବୋହିଛନ୍ତି । ଗତ ଗୁରୁବାର ଦିନ ନୂଆପଡ଼ା ଜିଲ୍ଲାପାଳ କୋମନା ବ୍ଳକ ମୁଣ୍ଡାପଲା ପଞ୍ଚାୟତର ମନରେଗା କାମ ତଦାରଖ ପାଇଁ ଯାଇଥିଲେ । ଶ୍ରମିକଙ୍କୁ ଉତ୍ସାହିତ କରିବା ପାଇଁ ଏହି ଯୋଜନାରେ ଖଲିଆ ବନ୍ଧ ଖନନ ପାଇଁ ହେଉଥିବା ମାଟି କାମରେ ଭାରରେ ମାଟି ବୋହି ପୋଖରୀ ହୁଡ଼ା ଉପରକୁ ଟେକି ନେଇଥିଲେ ନିଜେ ଜିଲ୍ଲାପାଳ । କୋମନା ବିଡିଓ ବିନୟ କୁମାର ଭୋଇ ମଧ୍ୟ ଏଠାରେ ଭାର ବୋହିଥିଲେ ।
ଏହା ପୂର୍ବରୁ ଜିଲ୍ଲାରେ ଦାଦନ ଶ୍ରମିକ ଚାଲାଣ ବନ୍ଦ କରିବା ପାଇଁ ଅଣ୍ଟା ଭିଡ଼ିଥିବା ଜିଲ୍ଲାପାଳ ମଧୁସୂଦନ ଦାଶ ବିଭିନ୍ନ ସମୟରେ ଶ୍ରମିକଙ୍କୁ ଉତ୍ସାହିତ କରିବା ପାଇଁ ମାଟି ଖୋଳି ଚର୍ଚ୍ଚାକୁ ଆସିଛନ୍ତି । ଏବେ ମଧ୍ୟ ସେ ଭାରରେ ମାଟି ବୋହି ଚର୍ଚ୍ଚାରେ ରହିଛନ୍ତି ।
ସୂଚନା ଯୋଗ୍ୟଯେ, ଜିଲ୍ଲାର ବହୁ ଶ୍ରମିକ ପରିବାର ମନରେଗା ଯୋଜନାରେ ୩୦୦ ଦିନ କାମ କରି ଲକ୍ଷପତି ହୋଇ ପାରିଛନ୍ତି । ଜିଲ୍ଲାପାଳ ଶ୍ରମିକମାନଙ୍କ ସହିତ କାନ୍ଧକୁ କାନ୍ଧ ମିଶାଇ ମାଟି ଖୋଳିବା, ମାଟି ବୋହିବା ଦ୍ବାରା ଶ୍ରମିକମାନଙ୍କ ମନରେ ଆତ୍ମୀୟତା ସୃଷ୍ଟି କରିପାରିଛନ୍ତି । ଶ୍ରମିକମାନେ ରାଜ୍ୟ ବାହାରକୁ ନଯାଇ ନିଜ ଗାଁରେ ନିଜ ପରିବାର ସହିତ ରହି ଶ୍ରମଭିତ୍ତିକ କାମ କରି ସ୍ୱାଭିମାନର ସହିତ ବଞ୍ଚିବେ ସେନେଇ ଜିଲାପାଳ ଶ୍ରମିକମାନଙ୍କୁ ଆହ୍ବାନ ଦେଇଛନ୍ତି ।
ଦାନା ଯୋଗାଡ ପାଇଁ ଭିଟାମାଟିରୁ ବାହାର ରାଜ୍ୟକୁ ଯାଇ ନିର୍ଯାତିତ ହେଉଛନ୍ତି ନିରୀହ ଗରିବ । ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ବାହାର ରାଜ୍ୟକୁ ବେଆଇନ ଭାବରେ କାମ କରିବାକୁ ଯାଇଥାନ୍ତି । ସରକାରଙ୍କ ନିୟମ କାନୁନକୁ ଫୁକରି ଶ୍ରମିକ ଚାଲାଣ କରିଥାନ୍ତି ଦାଦନ ସର୍ଦ୍ଦାର । ତେଣୁ ଏହି ଶ୍ରମିକମାନଙ୍କୁ ଜିଲ୍ଲାରେ କାମ ଯୋଗାଇ ଦେଇଥିବାରୁ ଏମାନେ ବାହାର ରାଜ୍ୟକୁ ଖଟିବାକୁ ଯାଉ ନାହାନ୍ତି କି ନିର୍ଯାତନାର ଶିକାର ହେଉନାହାନ୍ତି ।
Also Read: କାନ୍ଥ ପଡ଼ି ଶ୍ରମିକ ମୃତ, ଅଳ୍ପକେ ମୃତ୍ୟ ମୁଖରୁ ବଞ୍ଚିଲେ ୨ ଶ୍ରମିକ