ଦୀର୍ଘ ୨୪ବର୍ଷ ବିତିଥିଲେ ବି ବିସ୍ଥାପିତ ଲୋକଙ୍କୁ କ୍ଷତିପୂରଣ ବାବଦକୁ ଟଙ୍କା ମିଳିନଥିବା ଅଭିଯୋଗ

ନୂଆପଡା: ଗାଁ ଦାଣ୍ଡରେ ୩ ଫୁଟ୍ ପାଣି ଲହଡ଼ି ଭାଙ୍ଗୁଥିବା ଘରେ ପାଣି ପଶିଯାଇଛି । ଏବେ କୋନାବିରା ଗାଁ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ଗାଁର ୨୦ ପରିବାର ବିସ୍ଥାପିତ ଲୋକମାନେ ଜଳବନ୍ଦି ଭାବେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି । ନୂଆପଡା ଜିଲା ଖଡିଆଳଠାରୁ ୧୫ କି.ମି ଦୂରତାରେ ରହିଛି ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ । ଦୀର୍ଘ ୨୪ବର୍ଷ ପରେ ବି ଜମିବାଡି ହରାଇଥିବା ପ୍ରଶାସନ ତରଫରୁ ଏଯାଏଁ ସମ୍ପୂର୍ଣ୍ଣ କ୍ଷତିପୂରଣ ଟଙ୍କା ମିଳିନଥିବା ବିସ୍ଥାପିତ ଲୋକମାନେ ଅଭିଯୋଗ କରିଛନ୍ତି । ବୁଡିଗାଁ କୋନାବିରା ଗାଁର ବିସ୍ଥାପିତ ଲୋକମାନେ କ୍ଷତିପୂରଣ ଟଙ୍କା ନପାଇ ବହୁଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି । ଏପରିକି ଘରଦ୍ଵାର ଓ ଜମିବାଡି ହରାଇଥିବା ବିସ୍ଥାପିତ ପରିବାର ଟଙ୍କା ଅଭାବରୁ ଅନ୍ୟ ସ୍ଥାନରେ ଜମି କିମ୍ୱା ଘର କିଣିନପାରି ଏବେବି ଡ୍ୟାମର ଜଳଭଣ୍ଡାର ପରିସରରେ କ୍ଷତିପୂରଣ ପାଇବା ଆଶାରେ ପଡ଼ି ରହିଛନ୍ତି । ସେଠାରେ ମାଛ ମାରିବା ଠାରୁ ଆରମ୍ଭ କରି ପନିପରିବା ଚାଷ କରି ନିଜର ପରିବାର ପ୍ରତିପୋଷଣ କରି ଆସୁଛନ୍ତି ।

ଅପରପକ୍ଷେ, ଚଳିତବର୍ଷ ଚାଷିଙ୍କ ଚାଷଜମିକୁ ଜଳସେଚନ ଯୋଗେଇ ଦେବା ଉଦ୍ଦେଶ୍ୟରେ ଡ୍ୟାମ କର୍ତୃପକ୍ଷ ଜଳଭଣ୍ଡାରେ ୨୬୪ ମିଟର ଲେବଲରେ ପାଣି ସଂରକ୍ଷଣ କରିବା ପାଇଁ ସ୍ପିଲଓେ ଗେଟକୁ ବନ୍ଦ କରି ଦେଇଛନ୍ତି । ଯାହାଫଳରେ ଚଳିତ ଲଘୁଚାପ ବର୍ଷାରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ହେବା ସହ କୋନାବିରା ଗାଁକୁ ବର୍ଷା ପାଣି ମାଡି ଆସିଛି । କୋନାବିରା ଗାଁ ଦାଣ୍ଡରେ ଡ୍ୟାମପାଣି ଲହଡି ଭାଙ୍ଗୁଥିବା ବେଳେ ବିସ୍ଥାପିତଙ୍କ ଘରଗୁଡିକରେ ପାଣି ପଶି ଆସିଛି । ଫଳରେ ଗାଁଲୋକେ ଭୟରେ ଦିନ କାଟୁଛନ୍ତି । ସମ୍ପୂର୍ଣ୍ଣ କ୍ଷତିପୂରଣ ସହ ଥଇଥାନ ଟଙ୍କା ନମିଳିବା ଯାଏଁ ଡ୍ୟାମ ପାଣିରେ ବୁଡି ମରିଯିବେ କିନ୍ତୁ ନିଜର ଭିଟାମାଟି ଛାଡି ଅନ୍ୟ କୁଆଡେ ଯିବେ ନାହିଁ ବୋଲି ବିସ୍ଥାପିତ ମାନେ ଚେତାବନୀ ଦେଇଛନ୍ତି ।

ତେବେ ଗତ ୧୦ ମାର୍ଚ୍ଚ ୨୦୨୧ ମସିହାରେ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ଲୋକାର୍ପିତ ହୋଇଥିଲା । ଏହି ପ୍ରକଳ୍ପ ଦ୍ଵାରା ୧୦ଟି ଗାଁ ସମ୍ପୂର୍ଣ୍ଣ ବୁଡି ଓ ୨୦ ଟି ଗାଁକୁ ଆଶିଂକ ବୁଡି ଅଞ୍ଚଳ ଭାବେ ସରକାର ଘୋଷଣା କରିଥିଲେ । ପ୍ରଥମ ପର୍ଯ୍ୟାୟରେ ସରକାରଙ୍କ ୧୯୯୪ ପଲିସି ଅନୁସାରେ ପ୍ରଶାସନ ତରଫରୁ ସମ୍ପୂର୍ଣ୍ଣ ବୁଡି ଗାଁର ମୋଟ ୨ହଜାର ୯୩୭ ଜଣ ମୂଳ ବିସ୍ଥାପିତଙ୍କୁ କ୍ଷତିପୂରଣ ସ୍ଵରୂପ ଆଦିବାସୀ ବର୍ଗଙ୍କୁ ୯୪ ହଜାର ଓ ଅନ୍ୟବର୍ଗଙ୍କୁ ୮୧ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ। ସେହିଭଳି ସରକାରଙ୍କ ୨୦୦୬ ପଲିସି ଅନୁସାରେ ପ୍ରାୟ ୨ ହଜାର ୫୦୦ଜଣ ବିସ୍ଥାପିତଙ୍କୁ ୪ଲକ୍ଷ ୩୬ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ସହାୟତା ପ୍ରଦାନ କରାଯାଇଛି । ହେଲେ ଦୀର୍ଘ ୨୪ ବର୍ଷ ପରେ ମଧ୍ୟ ବିସ୍ଥାପିତ ଲୋକମାନେ ଏଯାଏଁ ସମ୍ପୂର୍ଣ୍ଣ ଥଇଥାନ ଟଙ୍କା ପାଇବାରୁ ବଞ୍ଚିତ ହୋଇ ଦୁର୍ବିସହ ଜୀବନ ଯାପନ କରୁଛନ୍ତି । ବିସ୍ଥାପିତ ଲୋକମାନେ ଥଇଥାନ ଟଙ୍କା ପାଇବା ପାଇଁ ବାରମ୍ୱାର ରାଲି ଓ ଧାରଣା ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଛନ୍ତି  କିନ୍ତୁ ଫଳ ଶୂନ ।

ସରକାରଙ୍କ ୧୯୯୪ ପଲିସି ଅନୁସାରେ ନିମ୍ନମାନର କ୍ଷତିପୂରଣ ପାଇଥିବା ୨ ହଜାର ୯୩୭ ମୂଳ ବିସ୍ଥାପିତ ପରିବାରଙ୍କୁ ଏକ୍ସଗ୍ରେସିଆ ସହ ଜମିର ବର୍ଦ୍ଧିତ ହାରରେ କ୍ଷତିପୂରଣ ସହାୟତା ଯୋଗେଇ ଦେବାକୁ ବିସ୍ଥାପିତ ମାନେ ଦାବି କରିଆସିଛନ୍ତି । ଏପରିକି କ୍ଷତି ପୂରଣ ପାଇବାରୁ ବଂଚିତ ଥିବା ୧୮ବର୍ଷ ଯୁବକ ଯୁବତୀଙ୍କୁ ମଧ୍ୟ ଥଇଥାନ ଟଙ୍କା ଯୋଗେଇ ଦେବାକୁ ଦାବି କରିଛନ୍ତି । ସେହିଭଳି ଅଧିନିୟମ ୧୮ରେ ଜଜମେଂଟ ପ୍ରାପ୍ତ ମୋକଦ୍ଧମା ଓ 28(ଏ) ମକଦ୍ଧମା ତ୍ଵରାନିତ କରି ବର୍ଦ୍ଧିତ ହାରରେ ଜମିର ମୂଲ୍ୟାଙ୍କନ କରି କ୍ଷତିପୂରଣ ସହାୟତା ଯୋଗେଇ ଦେବାକୁ ବିସ୍ଥାପିତମାନେ ଦାବି କରିଆସୁଛନ୍ତି । ହେଲେ ବିସ୍ଥାପିତଙ୍କୁ ଏଯାଏଁ ସଂପୂର୍ଣ କ୍ଷତିପୂରଣ ଟଙ୍କା ମିଳିପାରି ନାହିଁ । ମୂଖ୍ୟ ରାସ୍ତାରେ ପାଣି ଜମି ରହିଥିବାରୁ ଛାତ୍ରଛାତ୍ରୀମାନେ ସ୍କୁଲ ଓ କଲେଜକୁ ପାଠପଢିବା ପାଇଁ ଯାଇପାରୁ ନାହାନ୍ତି । ଅପରପକ୍ଷେ,ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ସ୍ଵତନତ୍ର ଭୂ-ଅର୍ଜନ ଓ ଥଇଥାନ ଅଧିକାରୀ କୋନାବିରା ଗାଁର ବିସ୍ଥାପିତଙ୍କ ବକେୟା ରହିଥିବା ଜମିର କ୍ଷତିପୂରଣ ଓ ଥଇଥାନ ରାଶି ଟଙ୍କା ଖୁବଶିଘ୍ର ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like