ନର୍ସ ନିହାରିକା ପାତ୍ର ହତ୍ୟା ମାମଲାରେ ନୂଆ ସୁରାକ୍, ହତ୍ୟାକାଣ୍ଡ ହୋଇଥିବା ଘରୁ ରକ୍ତ ଭିଜା କନ୍ଥା ଜବତ

କଟକ(କେନ୍ୟୁଜ୍): ନର୍ସ ନିହାରିକା ପାତ୍ର ହତ୍ୟା ମାମଲାରେ ନୂଆ ସୁରାକ। ତଦନ୍ତ ଆଗେଇବା ସହ ପୋଲିସ ହାତରେ ଲାଗୁଛି ନୂଆ ନୂଆ ତଥ୍ୟ। ଅଭିଯୁକ୍ତ ବୟଫ୍ରେଣ୍ଡ କିଶୋର ଆଞ୍ଚଳକୁ ରିମାଣ୍ଡରେ ନେଇ ପଚରାଉଚରା ବେଳେ ହତ୍ୟାକାଣ୍ଡର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି ଜଗତସିଂହପୁର ପୋଲିସ। ଏପଟେ ସାଇଣ୍ଟିଫିକ୍‌ ଟିମ୍‌ ନିହାରିକାଙ୍କୁ ହତ୍ୟା କରାଯାଇଥିବା କଟକ ଚାଉଳିଆଗଞ୍ଜ ସ୍ଥିତ ଘରେ ଖୋଳତାଡ କରିଛନ୍ତି। ସେଠାରୁ ରକ୍ତ ଭିଜା କନ୍ଥା ଜବତ ହୋଇଛି। କିଶୋର ଗିରଫ ହେବା ପରେ ପୋଲିସ କହିଥିଲା, ନିହାରିକାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଛି। ରକ୍ତ ଭିଜା କନ୍ଥା ମିଳିବା ପରେ ସାମନାକୁ ଆସିଛି ହତ୍ୟାକାଣ୍ଡର ନୂଆ ଦିଗ। ଅନେକ ପ୍ରଶ୍ନବାଚୀ ବି ସୃଷ୍ଟି ହୋଇଛି।

murder କୌଣସି ଧାରୁଆ ଅସ୍ତ୍ରରେ ନିହାରିକାଙ୍କୁ ମାରିଥିଲା କି ଅଭିଯୁକ୍ତ ବୟଫ୍ରେଣ୍ଡ? କିଶୋର ଏକାକୀ ନିହାରିକାଙ୍କୁ ମାରିଥିବା ପୋଲିସ ଆଗରେ ସ୍ୱୀକାର କରିଥିଲା? ଏବେ ରକ୍ତ ଭିଜା କନ୍ଥା ମିଳିବା ପରେ ହତ୍ୟାକାଣ୍ଡରେ ଆଉ କାହାର ସଂପୃକ୍ତି ରହିଛି କି ନାହିଁ, ଖୋଳତାଡ ଚାଲିଛି। ସେଦିନ ଏମିତି କଣ ହୋଇଥିଲା ଯେଉଁଥି ପାଇଁ କିଶୋର ନିହାରିକାଙ୍କୁ ମାରିଦେଲା? ୩ ଦିନିଆ ରିମାଣ୍ଡରେ ନେଇ ଅଭିଯୁକ୍ତଠାରୁ ତଥ୍ୟ ଉଗାଳିବାକୁ ଚେଷ୍ଟା କରିଛି ଜଗତସିଂହପୁର ପୋଲିସ। ଆଜି ତାର ରିମାଣ୍ଡ ଅବଧି ଶେଷ ହେଉଛି। ସୂଚନା ମିଳିଛି, ଏବେ କିଶୋରର ତାର ଲାଏ ଡିଟେକସନ୍‌ ହୋଇପାରେ। ଆବଶ୍ୟକ ହେଲେ ତାକୁ ଅଧିକ ଦିନ ରିମାଣ୍ଡରେ ନେବାକୁ ବି ଆବେଦନ କରିପାରେ ଜଗତସିଂହପୁର ଥାନା ପୋଲିସ। ସେପଟେ ନିହାରିକାଙ୍କ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି।