ଥାନାରେ ଆତ୍ମସମର୍ପଣ କଲେ ନିହାରିକାଙ୍କ ପ୍ରେମିକ, ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଛି ପୋଲିସ
ନର୍ସ ନିହାରିକା ପାତ୍ର ହତ୍ୟା ଘଟଣାରେ ନିହାରିକାଙ୍କ ବୟଫ୍ରେଣ୍ଡ ଆତ୍ମସମର୍ପଣ କରିଥିବା ସୂଚନା । ବିରିଡି ଥାନାରେ କିଶୋର ଅଞ୍ଚଳ ଓରଫ ରାଜା ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ରାଜାକୁ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଛି ପୋଲିସ ।
ଜଗତସିଂହପୁରର ନର୍ସ ନିହାରିକା ହତ୍ୟାକାଣ୍ଡକୁ ନେଇ ଏବେ ତେଜିବାରେ ଲାଗିଛି ରାଜନୀତି। ତଦନ୍ତ ପାଇଁ ୪ଜଣିଆ ଟିମ ଗଠିତ ହୋଇଛି। ସେପଟେ ନିହାରୀକାଙ୍କ ଗାଁ ଭିଙ୍ଗାରପୁରକୁ ଏବେ ବିଭିନ୍ନ ରାଜନୈତିକ ଦଳ ପହଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି। ବିଧାୟକ ଅରବିନ୍ଦ ଢାଲି ନିହାରିକାଙ୍କ ଗାଁକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି । ଆଇନ ଆଖିରେ ସମସ୍ତେ ସମାନ। ଅଭିଯୁକ୍ତ ବିରୋଧରେ କଠୋର ଦଣ୍ଡବିଧାନ ହେବ ବୋଲି କହିଛନ୍ତି ଅରବିନ୍ଦ ଢାଲି। ସେପଟେ ବିଜେପି ଓ କଂଗ୍ରେସ ମଧ୍ୟ ଦୋଷୀ ବିରୋଧରେ କଠୋର ଦଣ୍ଡ ଦାବି କରିଛି।
ଡିଏନଏ ଟେଷ୍ଟ ପାଇଁ କ୍ୟାପିଟାଲ ହସ୍ପିଟାଲରେ ନିହାରିକାଙ୍କ ବାପାମା। ବିଲୁଆଖାଇ ନଦୀପଠାରୁ ନିହାରିକା ପାତ୍ରଙ୍କ ଅଖାରେ ବନ୍ଧା ଅବସ୍ଥାରେ ମୃତଦେହ ମିଳିଥିଲ। ତେବେ ଏହା ପାଣିରେ ରହି ଫୁଲି ଯାଇଥିବାରୁ ଏହାର ଚିହ୍ନଟ ପାଇଁ ବାପାମାଙ୍କ ଡିଏନଏ ଟେଷ୍ଟ କରାଯାଉଛି। ପୂର୍ବରୁ ନିହାରିକାଙ୍କ ପରିବାର କିନ୍ତୁ ମୃତଦେହକୁ ଚିହ୍ନଟ କରିଛନ୍ତି। ପରିବାର କିନ୍ତୁ କହିଛନ୍ତି, ରାଜା ତାଙ୍କ ଝିଅକୁ ହତ୍ୟା କରି ନଦୀରେ ଫିଙ୍ଗି ଦେଇଛି । ସେପଟେ ନିହାରିକା କାମ କରୁଥିବା ନର୍ସିଂହୋମ୍ର ସିସିଟିଭି ଫୁଟେଜ୍ ବି ସାମ୍ନାକୁ ଆସିଛି । ଏବେ ପୋଷ୍ଟମର୍ଟମ ଓ ଡିଏନ୍ଏ ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ ।