ଆଜିଠାରୁ ନର୍ସିଂ ଅଫିସରଙ୍କ ସଂପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ

କଟକ: ଆଜିଠାରୁ ନର୍ସିଂ ଅଫିସରଙ୍କ ସଂପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ । କୌଣସି ଜରୁରୀ ସେବାରେ ଯୋଗ ଦେଉନାହାନ୍ତି । ଏସମା ଲାଗୁ ସତ୍ତ୍ବେ ନର୍ସିଂ ଅଫିସର ସଂଘ ନିଜ ଜିଦରେ ଅଟଳ ରହିଛି । ନର୍ସିଂ ଅଫିସରଙ୍କ ସଂପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ସାରା ରାଜ୍ୟରେ ଓଟି-ଆଇସିୟୁ-କାଜୁଆଲିଟି ସେବା ଠପ ହେଉଛି ।
ଏସସିବି, ଭିମସାର ଓ ଏମକେସିଜି ସମେତ ୩୦ ଜିଲ୍ଲା ହସପିଟାଲରେ ରୋଗୀ ସେବା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି । ନର୍ସିଂ ଅଫିସରଙ୍କ ୧୦ ଦଫା ଦାବି ଉପରେ ବିଚାରବିମର୍ଶ ପାଇଁ ଅନ୍ତଃ ବିଭାଗୀୟ କମିଟି ଗଠିତ ହେବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିଲେ ମଧ୍ୟ ଏ ନେଇ ସଙ୍ଘ ପାଖରେ କୌଣସି ଚିଠି ପହଁଚି ନଥିବା କହିଛନ୍ତି ନର୍ସିଂ ଅଫିସର ସଙ୍ଘ କହିଛି । ରାଜ୍ୟ ସରକାରଙ୍କ ସହିତ ଆଲୋଚନା ପାଇଁ ସବୁବେଳେ ପ୍ରସ୍ତୁତ ରହିଛୁ । ସରକାର ଏ ନେଇ ଆମକୁ ଲିଖିତ ପ୍ରତିଶ୍ରୁତି ଦେଲେ ଆନ୍ଦୋଳନରୁ ଓହରି ଯିବୁ ବୋଲି ସଂଘ କହିଛି ।
ଏପଟେ ବ୍ରହ୍ମପୁର MKCG ମେଡିକାଲରେ ସ୍ୱାସ୍ଥ୍ୟ ସେବା ଅଚଳାବସ୍ଥା ଆଡକୁ ମୁହାଁଉଛି । ୧୦ ଦଫା ଦାବି ପୂରଣ ନେଇ ୨୫ ତାରିଖରୁ ନର୍ସିଂ ଅଫିସର ସଂଘ ପକ୍ଷରୁ ଧାରଣା ଚାଲିଛି । ଆଜିଠାରୁ ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଫଳରେ ରୋଗୀ ସେବା ଉପରେ ପ୍ରଭାବ ପଡିଛି । ଡାକ୍ତର ଅଛନ୍ତି ହେଲେ ନର୍ସିଂ ଷ୍ଟାଫ ନାହାନ୍ତି । ସେପଟେ ମେଡିକାଲ କର୍ତ୍ତୃପକ୍ଷ ବିକଳ୍ପ ବ୍ୟବସ୍ଥାରେ ଲାଗିପଡିଛନ୍ତି ।
ସେହିପରି ଯାଜପୁର ଯଯାତୀ କେଶରୀ ମେଡିକାଲ କଲେଜ୍ ଏବଂ ଜିଲ୍ଲା ମେଡିକାଲ ପରିସରରେ ବି ସମୂହ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଫଳରେ ସ୍ଵାସ୍ଥ୍ୟ ସେବା ପ୍ରଭାବିତ ହୋଇଛି । ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଘରୋଇ ନର୍ସିଂ କଲେଜ କର୍ମଚାରୀଙ୍କୁ ନେଇ କାମ ଚାଲିଛି ।