କଟକ : ଦ୍ବିତୀୟ ଦିନରେ ନର୍ସିଂ ଅଫିସରଙ୍କ ସଂପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ । କୌଣସି ଜରୁରୀ ସେବାରେ ଯୋଗ ଦେଉନାହାନ୍ତି । ଏସମା ଲାଗୁ ସତ୍ତ୍ବେ ନର୍ସିଂ ଅଫିସର ସଂଘ ଦାବି ପୂରଣ ନେଇ ନିଜ ଜିଦରେ ଅଟଳ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ଗଣମାଧ୍ୟମରେ ବିବୃତ୍ତି ନୁହେଁ ନର୍ସିଂ ଅଫିସରଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରନ୍ତୁ ବୋଲି ନର୍ସିଂ ଅଫିସର ସଙ୍ଘ ସଭାନେତ୍ରୀ ଶୁଚିସ୍ମିତା ଦାସ କହିଛନ୍ତି ।
ରାଜ୍ୟରେ ରୋଗୀ ସେବା ସଠିକ ଭାବେ ଚାଲିବା ସରକାରଙ୍କର ଉତ୍ତର ଦାୟିତ୍ବ । ନର୍ସିଂ ଅଫିସର ସଙ୍ଘ ଦେଇଥିବା ୧୦ ଦଫା ଦାବି ଯୁକ୍ତିଯୁକ୍ତ । ଏଥିରେ ରାଜ୍ୟର ୧୫ ହଜାର ନର୍ସିଂ ଅଫିସରଙ୍କ ସ୍ୱାର୍ଥ ନିହିତ ରହିଛି । ଅଧିକାଂଶ ଦାବିକୁ ସରକାର ଚାହିଁଲେ ଗୋଟିଏ ଘଣ୍ଟା ଭିତରେ ପୂରଣ କରି ପାରିବେ । ଏଥିରେ କୌଣସି ପଲିସି ନିଷ୍ପତ୍ତି ହେବାର ନଥିବା ବେଳେ ସରକାରଙ୍କ ଉପରେ ସେଭଳି ଆର୍ଥିକ ବୋଝ ପଡିବାର ମଧ୍ୟ ନାହିଁ ।
ତେଣୁ ସରକାର ଟାଳଟୁଳ ନୀତି ଅବଲମ୍ବନ ନ କରନ୍ତୁ ବୋଲି ନର୍ସିଂ ଅଫିସର ସଙ୍ଘ ଦାବି କରିଛି । ନର୍ସିଂ ଅଫିସରଙ୍କ ସଂପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ସାରା ରାଜ୍ୟରେ ଓଟି-ଆଇସିୟୁ-କାଜୁଆଲିଟି ସେବା ପ୍ରଭାବିତ ହେଉଛି । ରାଜ୍ୟରେ ୧୫ ହଜାର ପାଖାପାଖି ନର୍ସିଂ ଅଫିସର ଏମରଜେନ୍ସି ସେବା ପ୍ରଦାନ ବନ୍ଦ୍ କରିଛନ୍ତି। ଫଳରେ ରୋଗୀମାନ ହଇରାଣ ହେଉଛନ୍ତି ।