କୁପୋଷଣ ଦୂର କରିବ ପୁଷ୍ଟି ବଗିଚା, ୧୩ ପ୍ରକାରର ପୁଷ୍ଟିକର ପନିପରିବା ଚାଷ କରାଯାଇ ପାରୁଛି

ପାରଳାଖେମୁଣ୍ଡି (କେ ନ୍ୟୁଜ୍‌) : ମାଟିରେ କରାଯାଇଥିବା ଏହି ଡିଜାଇନ୍‌ କୌଣସି କାରୁକାର୍ଯ୍ୟ ନୁହେଁ । ଏମିତି ସୁନ୍ଦର ଭାବେ ଡିଜାଇନ୍‌ କରାଯାଇଛି ଚାଷ ପାଇଁ । ତେବେ ଇଏ କୌଣସି ସାଧାରଣ ଚାଷ ନୁହେଁ । ରାଜ୍ୟ ସରକାରଙ୍କ ତରଫରୁ ଅଭିନବ ଭାବେ ଏକ ସ୍ୱତନ୍ତ୍ର ଚାଷ ପାଇଁ ଯୋଜନା ଆରମ୍ଭ ହୋଇଛି । ଏହି ଯୋଜନାର ନାଁ ହେଉଛି ପୁଷ୍ଟି ବଗିଚା । ଏହି ଯୋଜନା ଦ୍ୱାରା ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କୁପୋଷଣ ବା ଅପପୁଷ୍ଟି ଦୂର କରିବା ଲାଗି ଏହି ପୁଷ୍ଟି ବଗିଚା କରାଯାଇଛି ।
ଜୈବିକ ଉପାୟରେ ଚାଷ ପାଇଁ ବିଭିନ୍ନ ପରିବାରକୁ ପ୍ରୋତ୍ସାହନ ଦିଆଯାଉଛି । ୧୩ ପ୍ରକାର ଭିଟାମିନ୍‌ ଥିବା ପନିପରିବାକୁ ଏହି ପୁଷ୍ଟି ବଗିଚାରେ ସାମିଲ କରାଯାଇଛି । ବିଶେଷ କରି ସ୍ଥାନୀୟ ଅଞ୍ଚଳରେ ଯେଉଁ ଭିଟାମିନ୍‌ର ଅଭାବ ଯୋଗୁଁ ପିଲା ଓ ମହିଳାମାନେ କୁପୋଷଣର ସାମନା କରୁଛନ୍ତି ତାକୁ ଧ୍ୟାନରେ ରଖି ଏହି ପରିବା ଚାଷ କରାଯାଉଛି । ଯେଉଁଥିରେ ଆଦୌ ରାସାୟନିକ ସାର ବ୍ୟବହାର କରାଯାଉ ନାହିଁ ।

PUSTI BAGICHA-1
ଅତି କମ୍‌ ସ୍ଥାନରେ ୧୩ ପ୍ରକାରର ପୁଷ୍ଟିକର ପନିପରିବା ଚାଷ କରାଯାଇ ପାରୁଛି । ଓଡ଼ିଶା ଜୀବିକା ମିଶନ୍‌ ସହାୟତାରେ ଜିଲ୍ଲା ପ୍ରଶାସନ ସହଯୋଗରେ ଏହି କାର୍ଯ୍ୟକ୍ରମ ଚାଲିଛି । ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଏହି କାର୍ଯ୍ୟକ୍ରମ କରାଯାଉଛି । ବିଶେଷ କରି ଗର୍ଭବତୀ ମହିଳା ଏବଂ ପାଞ୍ଚ ବର୍ଷ ମଧ୍ୟର ପିଲାଙ୍କୁ ପୁଷ୍ଟିହୀନତାରୁ ରକ୍ଷା କରି ସେମାନଙ୍କୁ ଭିଟାମିନ୍‌ ଯୁକ୍ତ ଖାଦ୍ୟ ଯୋଗାଇ ଦେବା ହେଉଛି ଏହି ପୁଷ୍ଟି ବଗିଚାର ଲକ୍ଷ୍ୟ ।

PUSTI BAGICHA-3

ମାତ୍ର ଦୁଇ ଡିସିମିଲ ସ୍ଥାନରେ ଏହି ବଗିଚା ହୋଇ ପାରୁଛି । ଯଦି ଜାଗା ନାହିଁ ତେବେ ଜରି ଅଖା ବସ୍ତାରେ ମଧ୍ୟ ଗଛ ଲଗାଇ ହେବ । ଏହି ଚାଷ ପାଇଁ ତାଲିମ ମଧ୍ୟ ଦିଆଯାଉଛି । ନିଜ ଖାଇବା ପରେ ବଳକା ପନି ପରିବାକୁ ବଜାରରେ ବିକ୍ରି ପାଇଁ ମଧ୍ୟ ସୁବିଧା କରାଯାଇଛି । ବୋଇତାଳୁ, ଭେଣ୍ଡି, ଲାଉ, ସାଗ, ଝୁଡ଼ଙ୍ଗ, ଛଚିନ୍ଦ୍ରା, କାକୁଡ଼ି ଭଳି ୧୩ ପ୍ରକାର ପୁଷ୍ଟିକର ପରିବା ଚାଷ ପୁଷ୍ଟି ବଗିଚାରେ ସାମିଲ କରାଯାଇଛି ।