ଭାରତ-ୱେଲ୍‌ସ ମ୍ୟାଚ୍‌କୁୁ ଉପଭୋଗ କଲେ ଛାତ୍ରଛାତ୍ରୀ: ବିଶ୍ୱକପ୍ ଚିତ୍ରିତ ଟି-ସାର୍ଟ, କ୍ୟାପ୍ ପିନ୍ଧି ଘରୋଇ ଟିମ୍‌କୁ ସମର୍ଥନ କଲେ ଓଏଭି ଛାତ୍ରଛାତ୍ରୀ

କେନ୍ୟୁଜ୍(ବ୍ୟୁରୋ): ପୁରୁଷ ହକି ବିଶ୍ୱକପ୍ ୨୦୨୩ର ଗୁରୁବାର ଥିଲା ବହୁ ପ୍ରତିକ୍ଷିତ ଭାରତ-ୱେଲ୍‌ସ ମ୍ୟାଚ୍ । ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍ ଦେଖିବାକୁ ହକିପ୍ରେମୀମାନଙ୍କ ମଧ୍ୟରେ ଯେତିକି ଉତ୍ସାହ ଦେଖିବାକୁ ମିଳିଥିଲା, ତା’ଠାରୁ ଅଧିକ ଉତ୍ସାହ କୁନ କୁନି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ଏବଂ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (କେଜିଭିଏସ୍‌) ଗୁଡ଼ିକରେ ହକି ପ୍ରତି ପିଲାମାନଙ୍କ ଉତ୍ସୁକତାକୁ ଦୃଷ୍ଟିରେ ରଖି ଭାରତ-ୱେଲ୍‌ସ ମ୍ୟାଚ୍ ଲାଇଭ୍ ସ୍କ୍ରିନିଂର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ମ୍ୟାଚ୍ ଆରମ୍ଭ ହେବାକୁ ପୂର୍ବରୁ ପିଲାମାନେ ମୁହଁରେ ରଙ୍ଗବୋଳି ଏବଂ ହକି ବିଶ୍ୱକପ୍ ଚିତ୍ରିତି ପୋଷାକ ପିନ୍ଧି ନିଜ ଘରୋଇ ଟିମ୍‌କୁ ସମର୍ଥନ କରିବାକୁ ପ୍ରସ୍ତୁତ ହୋଇଯାଇଥିଲେ । ଭାରତ ମ୍ୟାଚ୍ ଦେଖିବାକୁ ସମସ୍ତଙ୍କ ଭିତରେ ପ୍ରବଳ ଉତ୍ସାହ ବାରି ହୋଇପଡ଼ୁଥିଲା । ପ୍ରତି ଗୋଲ୍‌, ପେନାଲ୍ଟି କର୍ଣ୍ଣର ଓ କ୍ୱାର୍ଟର ଶେଷରେ ସେମାନେ ଭାରତୀୟ ଦଳକୁ ଚିୟର କରୁଥିଲେ ।
ଅନ୍ୟପକ୍ଷରେ, ପିଲାମାନେ ଯେପରି ମ୍ୟାଚ୍‌କୁ ଭଲଭାବରେ ଦେଖିପାରିବେ ସେଥିପାଇଁ ସ୍କୁଲ୍ କର୍ତ୍ତୃପକ୍ଷ ମଧ୍ୟ କୌଣସି ସୁଯୋଗ ହାତଛଡ଼ା କରି ନ ଥିଲେ । ଖାଇବା ପିଇବାର ବ୍ୟବସ୍ଥା ସହ ମ୍ୟାଚ୍ ଶେଷରେ ପିଲାମାନଙ୍କୁ ନେଇ ସ୍ୱତନ୍ତ୍ର ଫଟୋ ସେସନ୍‌ର ଆୟୋଜନ କରାଯାଇଥିଲା । ଛାତ୍ରଛାତ୍ରୀମାନେ ହକି ଷ୍ଟିକ୍ ଆକୃତିରେ ଛିଡ଼ାହୋଇ ଫଟୋ ଉଠାଇବା ସହ ଭାରତୀୟ ହକି ଦଳକୁ ନିଜର ସମର୍ଥନ ଜଣାଇଥିଲେ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ରାଇଘରର ଛାତ୍ରଛାତ୍ରୀମାନେ ହକି ବିଶ୍ୱକପ୍ ଏବଂ ହକି ଷ୍ଟିକ୍ ଆକୃତିରେ ଛାଡ଼ାହୋଇ ଭାରତୀୟ ଦଳକୁ ସମର୍ଥନ ଜଣାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.