ମେ’ ପହିଲାରୁ ରାଜ୍ୟରେ ଓବିସି ସର୍ଭେ, ଉଭୟ ଅନଲାଇନ ଓ ଅଫଲାଇନରେ କରିପାରିବେ ଫର୍ମ ପୂରଣ

ଆସନ୍ତା ମେ ୧ ତାରିଖରୁ ଆରମ୍ଭ ହେବ ରାଜ୍ୟରେ ପଛୁଆ ବର୍ଗ ସର୍ଭେ। ଏହା ସେହି ମାସ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ରାସନ୍‌ କାର୍ଡ ନଥିବା ପଛୁଆବର୍ଗ ପରିବାରର ସଦସ୍ୟ ମଧ୍ୟ ତଥ୍ୟ ପ୍ରଦାନ କରିପାରିବେ । ନଚେତ୍‌ ଅନଲାଇନରେ www.oscbc.odisha.gov.inରେ ବିନା ମୂଲ୍ୟରେ ଫର୍ମ ପୂରଣ କରିପାରିବେ ।

ଭୁବନେଶ୍ୱର (କେନ୍ୟୁଜ): ମେ’ ପହିଲାରୁ ରାଜ୍ୟରେ ଓବିସି ସର୍ଭେ । ପଛୁଆ ବର୍ଗ ଲୋଲକଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ଏହି ସର୍ଭେ ମାଧ୍ୟମରେ ତଥ୍ୟ ଗ୍ରହଣ କରାଯିବ । ଏନେଇ ଚୂଡାନ୍ତ ନିର୍ଦ୍ଦେଶନାମା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ ପାଇଛି । ଏହି ସର୍ଭେ କେବଳ ଓଡ଼ିଶା ସରକାରଙ୍କ ଦ୍ୱାରା ଅଧିସୂଚିତ ୨୦୮ ପ୍ରକାର ପଛୁଆ ବର୍ଗ ଲୋକଙ୍କ ପାଇଁ ଉଦ୍ଦିଷ୍ଟ । ନିର୍ଦ୍ଧାରିତ ସର୍ଭେ ସେଣ୍ଟର କିମ୍ବା ଅନଲାଇନରୁ ଯେକୌଣସି ଗୋଟିଏ ମାଧ୍ୟମରେ ଫର୍ମପୂରଣ କରିପାରିବେ । ପରିବାର ମୁଖ୍ୟ କିମ୍ବା ଜଣେ ବରିଷ୍ଠ ସଦସ୍ୟ ପରିବାରର ସମସ୍ତ ତଥ୍ୟ ସର୍ଭେ ସେଣ୍ଟରରେ ପ୍ରଦାନ କରିପାରିବେ ।

ରାସନ୍‌ କାର୍ଡ ସହ ସମସ୍ତ ସଦସ୍ୟଙ୍କର ଯେକୌଣସି ଗୋଟିଏ ପରିଚୟପତ୍ର ନେଇ ଯିବେ ସର୍ଭେ ସେଣ୍ଟର । ରାସନ୍‌ କାର୍ଡ ନଥିବା ପଛୁଆବର୍ଗ ପରିବାରର ସଦସ୍ୟ ମଧ୍ୟ ତଥ୍ୟ ପ୍ରଦାନ କରିପାରିବେ । ନଚେତ୍‌ ଅନଲାଇନରେ www.oscbc.odisha.gov.inରେ ବିନା ମୂଲ୍ୟରେ ଫର୍ମ ପୂରଣ କରିପାରିବେ । କିମ୍ବା ମୋ ସେବା କେନ୍ଦ୍ରକୁ ଯାଇ ସ୍ଥିରିକୃତ ଦେୟ ପ୍ରଦାନ କରି ଅନଲାଇନ୍‌ ଫର୍ମ ପୂରଣ କରିପାରିବେ ହିତାଧିକାରୀ । ଆସନ୍ତା ୨୭ ତାରିଖ ଯାଏ ଏହି ସର୍ଭେ ଚାଲିବ ।

ରାଜ୍ୟର ପ୍ରାୟ ୫୪ ପ୍ରତିଶତ ଲୋକ ପଛୁଆ ବର୍ଗରେ ଅଛନ୍ତି । ପ୍ରଚଳିତ ସଂରକ୍ଷଣ ନୀତି ଅନୁଯାୟୀ ଏବେ ଅନୁସୂଚିତ ଜନଜାତିଙ୍କୁ ୨୨.୫ ପ୍ରତିଶତ, ଅନୁସୂଚିତ ଜାତିଙ୍କୁ ୧୬.୨୫ ଓ ପଛୁଆବର୍ଗଙ୍କୁ ୧୧.୨୫ ପ୍ରତିଶତ ସଂରକ୍ଷଣ ସୁବିଧା ମିଳୁଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ୫୦%ରୁ ଅଧିକ ସଂରକ୍ଷଣ ସୁବିଧା ଦେଇ ପାରୁନାହାନ୍ତି । ଓବିସି ବର୍ଗ ଜନସଂଖ୍ୟାକୁ ବିଚରେ କଲେ ସେମାନଙ୍କୁ କମ୍‌ ସଂରକ୍ଷଣ ମିଳୁଛି । ସରକାରୀ ଚାକିରି ସହ ଅନ୍ୟାନ୍ୟ ସୁବିଧାରୁ ସେମାନେ ବଞ୍ଚିତ ହେଉଛନ୍ତି । ଏବର୍ଗର ଜନଗଣନାର ଠିକ୍‌ ପରିସଂଖ୍ୟାନ ନଥିବାରୁ ପଛୁଆବର୍ଗଙ୍କ ଗଣନା କରିବାକୁ ରାଜ୍ୟ କ୍ୟାବିନେଟ୍‌ ସଂକଳ୍ପ ପାରିତ କରିଥିଲା । କେନ୍ଦ୍ର ସରକାରଙ୍କୁ ଏବର୍ଗର ଗଣତି କରିବାକୁ ରାଜ୍ୟ ସରକାର ଅନୁରୋଧ କରିଥିଲେ । ମାତ୍ର ଏହାକୁ ଖାରଜ କରିଥିଲେ ଜନଗଣନା କମିଶନ ।

ପଛୁଆବର୍ଗଙ୍କ ପ୍ରକୃତ ସଂଖ୍ୟା ଜାଣିବା ପାଇଁ ଜାତିଭିତ୍ତିକ ଜନଗଣନା ଜରୁରୀ ବୋଲି ରାଜ୍ୟ ସରକାର ଯୁକ୍ତି ଉପସ୍ଥାପନ କରି ଆସୁଛନ୍ତି । ସେମାନଙ୍କୁ ସାମାଜିକ ବିକାଶରେ ସାମିଲ କରିବାକୁ ସଂରକ୍ଷଣ ସୀମା ୫୦ ପ୍ରତିଶତ ବୃଦ୍ଧି ଦିଗରେ କେନ୍ଦ୍ର ପଦକ୍ଷେପ ନେଉ ବୋଲି ଓଡ଼ିଶା ବିଧାନସଭାରେ ସଂକଳ୍ପ ପାରିତ ହୋଇଛି । ୨୦୨୧ ଜନଗଣନା ଏଯାଏ ହୋଇନି । ଏହାରି ଭିତରେ ପଛୁଆ ବର୍ଗଙ୍କ ସର୍ଭେ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ୨୦୨୪ ନିର୍ବାଚନ ପୂର୍ବରୁ ପଛୁଆ ବର୍ଗଙ୍କୁ ସାମାଜିକ ଓ ଶିକ୍ଷାଗତ କ୍ଷେତ୍ରରେ କିଛି ସୁବିଧା ସୁଯୋଗ ଘୋଷଣା କରିପାରନ୍ତି ସରକାର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.