ଭିଜିଲାନସ ଜାଲରେ ଓବିସିସି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଦୀପ କୁମାର ରଥ,ବିଭିନ୍ନ ଜିଲ୍ଲାରେ ଘର ସାଙ୍ଗକୁ ଅଛି ଆପାର୍ଟମେଣ୍ଟ
ଭୁବନେଶ୍ବର: କୋଟିପତି ଅତିରିକ୍ତ ମୁଖ୍ୟଯନ୍ତ୍ରୀ । ବିଭିନ୍ନ ଜିଲ୍ଲାରେ ଘର ସାଙ୍ଗକୁ ଅଛି ଆପାର୍ଟମେଣ୍ଟ । ଭୁବନେଶ୍ବରରେ ଦୁଇ ଫ୍ଲାଟ ସାଙ୍ଗକୁ ବିଭିନ୍ନ ସ୍ଥାନରେ ୪୨ ପ୍ଲଟ । ପୁଳା ପୁଳା ସୁନା ଗହଣା ସାଙ୍ଗକୁ ଜବତ ହୋଇଛି କାଗଜପତ୍ର । ସ୍ତ୍ରୀଙ୍କ ପାଇଁ ରହିଛି ଏକ ମିନି ଜୁଏଲାରୀ ସପ୍ । ଏଥିରେ ରହିଛି ପୁରୁଣା ଠାରୁ ଆରମ୍ଭ କରି ନୂଆ ଡିଜାଇନର ଗହଣା । ଘର ବି କୌଣସି ରାଜପ୍ରସାଦ ଠାରୁ କମ ନୁହେଁ । ଆଧୁନିକ ଇଣ୍ଟରିୟର ସହ ବହୁମୂଲ୍ୟ ସାମଗ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ବ୍ରିଜ ଆଣ୍ଡ କନଷ୍ଟ୍ରକ୍ସନ କର୍ପୋରେସନ ବା ଓବିସିସି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କ ସମ୍ପତ୍ତି ଯାଞ୍ଚ ଚାଲିଛି । ଏକକାଳୀନ କଟକ, ଖୋର୍ଦ୍ଧା, ଭଦ୍ରକ , ଯାଜପୁର ଓ ଭୁବନେଶ୍ବରର ୧୨ଟି ସ୍ଥାନରେ ଭିଜିଲାନସ ଚାଲିଛି ରେଡ୍ । ପ୍ରଦୀପଙ୍କ ଭୁବନେଶ୍ବର ସତ୍ୟବିହାରସ୍ଥିତ ଘର ଓ ଚନ୍ଦ୍ରଶେଖରପୁରରେ ଥିବା ଆପାର୍ଟମେଣ୍ଟ, ଭଦ୍ରକ ଆଚାର୍ଯ୍ୟନଗରରେ ଥିବା ଘର , ଅଗରପଡ଼ାରେ ଥିବା ପୈତୃକ ଘର ଓ କଟକ ବାରବାଟୀ ଷ୍ଟାଡିୟମ ପରିସରରେ ଥିବା ଅଫିସରେ ଏହି ଚଢାଉ କରାଯାଇଛି ।
ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କ ଭୁବନେଶ୍ବର ପାଣ୍ଡରା ସତ୍ୟବିହାରରେ ରହିଛି ଏକ ତିନି ମହଲା କୋଠା । ଚନ୍ଦ୍ରଶେଖରପୁରର ଓ ପାତ୍ରପଡ଼ାରେ ଫ୍ଲାଟ ରହିଛି । ଭଦ୍ରକରେ ଏକ ୩ ମହଲା କୋଠା ଥିବା ଜଣାଯାଇଛି । ଢେଙ୍କାନାଳରେ ଗୋଟିଏ କ୍ରସର ୟୁନିଟ ଓ ନୟାପଲ୍ଲୀ ଇନ୍ଦ୍ରଧନୁ ମାର୍କେଟରେ ହଜାରେ ବର୍ଗଫୁଟ ଜାଗାରେ ରହିଥି ମେଡିସନ ଷ୍ଟୋର ତଥା ଆବାସିକ କୋଠା । ତାଙ୍କର ମୋଟ ୪୨ଟି ପ୍ଲଟ ଥିବା ଭିଜିଲାନସ ଚଢ଼ାଉ ବେଳେ ଜଣାପଡ଼ିଛି । ସେଭିତରୁ ଯାଜପୁର ଜିଲ୍ଲାରେ ୩୨ଟି, ଭୁବନେଶ୍ବରରେ ୩ଟି, ଖୋର୍ଦ୍ଧାରେ ଗୋଟିଏ, କଟକ, ଭଦ୍ରକ ଓ ଡେଙ୍କାନାଳରେ ୨ଟି ଲେଖାଏ ଫ୍ଲଟ ରହିଛି ।
ଏସବୁ ପ୍ଲଟର ମୋଟ ପଞ୍ଜିକୃତ ସେଲ୍ ଡିଡ ଭାଲ୍ୟୁ ହେଉଛି ଏକ କୋଟି ଟଙ୍କା । ହେଲେ ପ୍ରକୃତ ମୂଲ୍ୟ ଏହାଠାରୁ ଢେର ଅଧିକ । ବିଭିନ୍ନ ବ୍ୟାଙ୍କ ଓ ପୋଷ୍ଟ ଅଫିସରେ ତାଙ୍କର ୮୮ ଲକ୍ଷ ଟଙ୍କାର ଫିକ୍ସଡ ଡିପୋଜିଟ ଥିବା ଜଣାଯାଇଛି । ଗୋଟିଏ କାର, ୨ଟି ଜେସିବି, ଗୋଟିଏ ଏକ୍ସାକାଭେଟର ଓ ଦୁଇଟି ବାଇକ ରହିଛି । ତାଙ୍କର ମୋବାଇଲ ଫୋନ, ଲ୍ୟାପଟପ୍ ଓ ଅନ୍ୟ ଡିଜିଟାଲ ଗାଜେଟ ଜବତ କରି ଯାଞ୍ଚ କରିଛି ଟିମ୍ । ଆଜି ସକାଳୁ ପ୍ରଥମେ ଭିଜିଲାନ୍ସ ଟିମ୍ ଯାଜପୁର ରୋଡ ଥାନା ରାଜମହଲ ମଣ୍ଡପ ନିକଟରେ ଥିବା ସହଯୋଗୀ ଭବାନୀ ଶଙ୍କର ସିଂଙ୍କ ଘରେ ଚଢାଉ କରିଥିଲା । ଏହା ପରେ ପାଣିକୋଇଲି ଥାନା ତାଳୁଙ୍ଗା ଛକ ସ୍ଥିତ ଇଣ୍ଡସ ପ୍ରାଇଭେଟ ଲିମିଟେଡର ଷ୍ଟକ ୟାଡ଼ରେ ବିଭିନ୍ନ କାଗଜ ପତ୍ର ଯାଞ୍ଚ କରିଛି ଟିମ୍ । ଚଢ଼ାଉରେ ୯ DSP, ୧୧ ଇନ୍ସପେକ୍ଟର ଓ ଭିଜିଲାନ୍ସ କର୍ମଚାରୀ ସାମିଲ ଅଛନ୍ତି ।