କେରଳ ଭୂସ୍ଖଳନରେ ଓଡିଆ ଡାକ୍ତର ନିଖୋଜ, ପତ୍ନୀଙ୍କ ସହ ଯାଇଥିଲେ ବୁଲିବାକୁ

କଟକ : କେରଳର ଓ୍ଵାୟନାଡରେ ପ୍ରବଳ ବର୍ଷା ପରେ ଭୟଙ୍କର ଭୂସ୍ଖଳନ ହୋଇଛି । ଏଥିରେ ୪୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ଛୋଟ ପିଲା ରହିଛନ୍ତି। ସେହିପରି ଭୂସ୍ଖଳନ ଯୋଗୁ ୧୦୦ରୁ ଅଧିକ ଲୋକ ଦବିଥିବା ଆଶଙ୍କା କରାଯାଉଛି । ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । କେରଳ ଭୂସ୍ଖଳନରେ ନିଖୋଜଙ୍କ ମଧ୍ୟରେ ଅଛନ୍ତି କଟକର ଡାକ୍ତର ବିଷ୍ଣୁପ୍ରସାଦ ଚିନ୍ନାରା । ନିଜ ପତ୍ନୀ ପ୍ରିୟଦର୍ଶିନୀ ପଲଙ୍କ ସହ କେରଳ ବୁଲିବାକୁ ଯାଇଥିଲେ । ଭୂସ୍ଖଳନରୁ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ କେରଳର ଉଇମସ ହସ୍ପିଟାଲର ସର୍ଜରି ୱାର୍ଡରେ ଚିକିତ୍ସିତ ହେଉଥିବା ବେଳେ ଡାକ୍ତର ଏବେ ବି ନିଖୋଜ ଅଛନ୍ତି । ଏହି ଦମ୍ପତ୍ତିଙ୍କ ଘର କଟକ ଚୌଦ୍ୱାରର ବୋଲି ସୂଚନା ମିଳିଛି ।

ସୂଚନା ଅନୁସାରେ ଗତ ୨୬ ତାରିଖରୁ ରାଜ୍ୟ ବାହାରକୁ ଯାଇଥିଲେ ଏହି ଦମ୍ପତି । ୨୭ ତାରିଖରେ ବିଷ୍ଣୁପ୍ରସାଦଙ୍କ ଜନ୍ମଦିନ ଥିଲା । ବେଙ୍ଗାଳୁରରୁରେ ଜନ୍ମଦିନ ପାଳିଥିଲେ ଉଭୟ ସ୍ୱାମୀ-ସ୍ତ୍ରୀ । ସେଠାରୁ ଗତକାଲି କେରଳ ଯାଇଥିଲେ । କେରଳରେ ଉଭୟ ପତିପତ୍ନୀ ଭୁସ୍ଖଳନରେ ଭାସି ଯାଉଥିବା ବେଳେ କେବଳ ପତ୍ନୀ ପ୍ରିୟଦର୍ଶିନୀ ପଲଙ୍କୁ ଉଦ୍ଧାର କରାଯାଇଛି । କିନ୍ତୁ ଡାକ୍ତର ସ୍ୱାମୀ ବିଷ୍ଣୁପ୍ରସାଦଙ୍କ ଖୋଜ ଖବର ଏ ଯାଏ ମିଳି ନାହିଁ।

ଖବର ମୁତାବକ ଓ୍ଵାୟନାଡର ମେପ୍ପଡୀ ପାହାଡ଼ିଆ ଅଞ୍ଚଳରେ ଦୁଇଟି ଭୂସ୍ଖଳନ ଘଟିଛି । ଭୂସ୍ଖଳନ ହେତୁ ୧୦୦ରୁ ଅଧିକ ଲୋକ ଆବର୍ଜନା ତଳେ ଫଶି ରହିଛନ୍ତି । ଉଦ୍ଧାର କାର୍ଯ୍ୟରେ KSDMA ଓ NDRF ନିୟୋଜିତ ରହିଛନ୍ତି । ସେପଟେ ବାୟୁସେନାର ଦୁଇଟି ହେଲିକପ୍ଟର MI 17 ଓ ALH ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛି । ଭୂସ୍ଖଳନ ଯୋଗୁ ୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କୁ ଓ୍ୱାୟନାଡର ମେପ୍ପଡୀ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

You might also like