ଦିଲ୍ଲୀରେ ଓଡ଼ିଆ ଡାକ୍ତରଙ୍କୁ ହତ୍ୟା, ଗିରଫ ହେଲେ ମହିଳା ଡାଏଟିସିଆନ୍‌

ଦିଲ୍ଲୀରେ ଓଡ଼ିଆ ଡାକ୍ତରଙ୍କୁ ହତ୍ୟା । ମୃତ ଡାକ୍ତର ହେଲେ ୫୨ ବର୍ଷୀୟ ସମ୍ବିତ କୁମାର ମହାନ୍ତି । ତାଙ୍କ ଘର କଟକ ନୂଆବଜାର ହୋଇଥିବାବେଳେ ସେ ଜଣେ ପାଥୋଲୋଜିଷ୍ଟ ଥିଲେ ବୋଲି ଜଣାପଡିଛି । ଓଡ଼ିଆ ଡାକ୍ତରଙ୍କୁ ଜଣେ ମହିଳା ଡାଏଟିସିଆନ୍‌ ସନି ଶର୍ମା ହତ୍ୟା କରିଥିବା ଦିଲ୍ଲୀ ପୋଲିସ କହିଛି । ଏହି ଘଟଣାର ଅଭିଯୁକ୍ତ ସନି ଶର୍ମାଙ୍କୁ ଦିଲ୍ଲୀର ମୈଦାନୀଗଡ଼ ପୋଲିସ ଗିରଫ କରିଛି । ଗିରଫ ପରେ ଅଭିଯୁକ୍ତ କହିଛି ଯେ ଅଶାଳୀନ ଆଚରଣ କରିବାରୁ ସେ ଡାକ୍ତରଙ୍କୁ ହତ୍ୟା କରିଛି ।

ଗୁରୁବାର ଦିନ ପ୍ରାୟ ୧୨ଟା ବେଳେ ଡାକ୍ତରଙ୍କ ରୁମ୍‌ରୁ ମୃତଦେହ ମିଳିଥିଲା । ତେବେ ଡାକ୍ତରଙ୍କ ମୋବାଇଲ୍ ଯଞ୍ଚ କରିବାରୁ ଶେଷ କଲ୍ ସନି ଶର୍ମାଙ୍କୁ ହୋଇଥିବାରୁ ପୋଲିସ ତାଙ୍କ ନମ୍ବରକୁ ଟ୍ରାକ୍ କରି ଗିରଫ କରିଛି ।

ମିଳିଥିବା ଖବର ଅନୁସାରେ , ଛତାପୁରର ଏକ ଫୁଟ୍‌ରେ ଡ. ସର୍ମିତ ମହାନ୍ତି ରହୁଥିଲେ । ଦୁଇ ସପ୍ତାହ ପୂର୍ବେ ତାଙ୍କର ମହିଳା ଡାଏଟିସିଆନ୍ ସନି ଶର୍ମାଙ୍କ ସହିତ ପରିଚୟ ହୋଇଥିଲା । ଏକାଧିକ ବାର ଫୋନ୍‌ରେ କଥା ହେବା ପରେ ଡାକ୍ତର ମହାନ୍ତି ନିଜ ପାଇଁ ଏକ ‘ଡାଏଟ୍ ଚାଟ୍’ ପ୍ରସ୍ତୁତ କରିବାକୁ ଚାହିଁଥିଲେ। ତେଣୁ ସେ ଗତକାଲି ଫୋନ୍ କରି ସନି ଶର୍ମାଙ୍କୁ ତାଙ୍କ ଘରକୁ ଡାକିଥିଲେ । ସେଠାରେ କିଛି ସମୟ କଥା ହେବା ପରେ ସମ୍ବିତ ମହାନ୍ତି ହଠାତ୍ ସନିଙ୍କ ସହ ଅନ୍ତରଂଗ ହେବାକୁ ଚାହିଁବାରୁ ମହିଳା ଜଣଙ୍କ ଭୟଭୀତ ହୋଇ ରୋଷେଇ ଘରୁ ଏକ ଛୁରୀ ଅଣି ତାଙ୍କ ବେକ କାଟି ଦେଇଥିଲେ ।

ଅନ୍ୟପଟେ କଟକ ପୋଲିସ ପାଖରେ ଏନେଇ କୌଣସି ସୂଚନା ନଥିବା କୁହାଯାଇଛି । ଶବ ବ୍ୟବଚ୍ଛେଦ ପରେ ସମ୍ବିତ ମହାନ୍ତିଙ୍କ ମୃତଦେହକୁ ବେଙ୍ଗାଲୁରୁରେ ରହୁଥିବା ତାଙ୍କ ଭଉଣୀ ଓ ଭାଣିଜୀଙ୍କୁ ହସ୍ତାନ୍ତର କରାଯାଇଥିବା ଦିଲ୍ଲୀ ପୋଲିସ ସୂତ୍ରରୁ ସୂଚନା ମିଳିଛି।

 

Also Read: ଜୀବନ ହାରିଲେ JE, କ୍ବାର୍ଟର୍ସରୁ ମିଳିଲା ମୃତଦେହ