ବିଶ୍ବସ୍ତରକୁ ଯିବ ଓଡ଼ିଆ ଭାଷା, ପ୍ରଚାର ପ୍ରସାର ପାଇଁ ପଦକ୍ଷେପ ନେବେ ସରକାର
ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଆଲୋଚିତ ବିଷୟ ଏବଂ ପ୍ରବାସୀ ଓଡ଼ିଆଙ୍କ ସହ 5T ଅଧ୍ୟକ୍ଷଙ୍କ ଆଲୋଚନା ଆଧାରରେ ଅନେକ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଗୁଡ଼ିକ ମୁଖ୍ୟମନ୍ତ୍ରୀଙ୍କ 5T ପଦକ୍ଷେପ ଅଧୀନରେ କାର୍ଯ୍ୟକାରୀ କରାଯିବ।

ଭୁବନେଶ୍ୱର : ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଆଲୋଚିତ ବିଷୟ ଏବଂ ପ୍ରବାସୀ ଓଡ଼ିଆଙ୍କ ସହ 5T ଅଧ୍ୟକ୍ଷଙ୍କ ଆଲୋଚନା ଆଧାରରେ ଅନେକ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଗୁଡ଼ିକ ମୁଖ୍ୟମନ୍ତ୍ରୀଙ୍କ 5T ପଦକ୍ଷେପ ଅଧୀନରେ କାର୍ଯ୍ୟକାରୀ କରାଯିବ। ନିଷ୍ପତ୍ତି ଗୁଡ଼ିକ ଭିତରେ ରହିଛି ଓଡ଼ିଆ ଭାଷାର ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଗବେଷଣା ପାଇଁ ୧୦ କୋଟି ଟଙ୍କାର ଏକ କର୍ପସ ପାଣ୍ଠି ଗଠନ ହେବ। ସତ୍ୟବାଦୀରେ ପ୍ରତିଷ୍ଠିତ ଓଡ଼ିଆ ବିଶ୍ବବିଦ୍ୟାଳୟ ଜରିଆରେ ଏହା କାର୍ଯ୍ୟକାରୀ ହେବ। ଓଡ଼ିଆ ଭାଷାକୁ ଡିଜିଟାଲ ପଦ୍ଧତି ସହ ସମନ୍ବିତ କରିବା ପାଇଁ ପ୍ରତିବର୍ଷ ଏକ ଅନ୍ତର୍ଜାତୀୟ ଡିଜିଟାଲ ଓଡ଼ିଆ ସମ୍ମିଳନୀ ଆୟୋଜନ ହେବ।
ଏହା ମାଧ୍ୟମରେ ବିଶେଷଜ୍ଞ ଓ ଭାଷାବିତ ମାନଙ୍କୁ ଏକାଠି କରାଯିବ। କଂପ୍ୟୁଟର କି-ବୋର୍ଡ ଏବଂ ଫଣ୍ଟରେ ବ୍ୟବହୃତ ଲିପିର ମାନକୀକରଣ ନିମନ୍ତେ ଏକ ବିଶେଷଜ୍ଞ କମିଟି ଗଠନ କରାଯିବ। ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୧୫ଶହ ହାଇସ୍କୁଲରେ ସ୍ବତନ୍ତ୍ର ଭାବେ ଓଡ଼ିଆ ଶିକ୍ଷକ ନିଯୁକ୍ତି ଦେବେ। ଭାରତବର୍ଷ ତଥା ବିଶ୍ବର ଅନ୍ୟାନ୍ୟ ଭାଷାରେ ଓଡ଼ିଆ ପୁସ୍ତକର ଅନୁବାଦ ପାଇଁ ଅନୁଦାନର ବ୍ୟବସ୍ଥା କରାଯିବ। ଓଡ଼ିଆ ଶବ୍ଦକୋଷ କମିଟି ଗଠନ କରାଯିବ। ଓଡ଼ିଆ ଭାଷାରେ ବିଜ୍ଞାନ, ବୈଷୟିକ ଶିକ୍ଷା ଓ ଡାକ୍ତରୀ ପାଠ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ଏକ ମଧ୍ୟବର୍ତ୍ତୀକାଳୀନ ନୀତି ପ୍ରଣୟନ କରାଯିବ। ଓଡ଼ିଆ ଭାଷାରେ ଶିଶୁ ସାହିତ୍ୟର ବିକାଶ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଓ ପ୍ରୋତ୍ସାହନ ଯୋଗାଇ ଦେବେ। ଭାରତ ତଥା ବିଦେଶର ବିଭିନ୍ନ ବିଶ୍ବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବ। ସେହିପରି ଓଡ଼ିଶା ବାହାରେ ବସବାସ କରୁଥିବା ଓଡ଼ିଆମାନଙ୍କ ପାଇଁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏକ ଓଡ଼ିଆ ଲର୍ଣ୍ଣିଂ ମ୍ୟାନେଜମେଣ୍ଟ ସିଷ୍ଟମ ପ୍ରସ୍ତୁତ କରାଯିବ।