ମାଲେସିଆରେ ଓଡ଼ିଆ ଯୁବକ ନିଖୋଜ, ସୁରକ୍ଷିତ ଭାବେ ଘରକୁ ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଗୁହାରୀ କଲେ ପରିବାର ଲୋକେ

କେନ୍ଦ୍ରାପଡ଼ା(କେନ୍ଯୁଜ୍) : ମାଲେସିଆରେ ଓଡ଼ିଆ ଯୁବକ ନିଖୋଜ। ପୁଅର ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାରଲୋକେ। ଗତ ସେପ୍ଟେମ୍ବର ୨ ତାରିଖରେ କୋଲକତାର ଏକ ଏଜେନ୍ସି ମାଧ୍ୟମରେ ଚାକିରୀ ପାଇଁ ମାଲେସିଆ ଯାଇଥିଲେ କେନ୍ଦ୍ରାପଡ଼ା ବାବୁରାମ ପାଟନା ଗାଁର କ୍ଷେତ୍ରବାସୀ ସାହୁ। ୯ ତାରିଖରେ ଶେଷଥର ପାଇଁ ପରିବାର ଲୋକଙ୍କ ସହ କଥା ହୋଇଥିଲେ କ୍ଷେତ୍ରବାସୀ। ହେଲେ ତାପରଠାରୁ କୌଣସି ଯୋଗାଯୋଗ ହୋଇପରାନଥିଲା।
୨୯ତାରିଖରେ ଜଣେ ଅଜଣା ବ୍ୟକ୍ତି ଫୋନ୍ କରି କ୍ଷେତ୍ରବାସୀଙ୍କ ବାପା କୁଳମଣି ସାହୁଙ୍କୁ ପୁଅ ବିପଦରେ ଥିବା କହିଥିଲେ। ତା ଜୀବନ ପ୍ରତି ବିପଦ ଅଛି, ଉଦ୍ଧାର କର। ସେବେଠୁ ପୁଅର କୌଣସି ଖୋଜଖବର ପାଉନାହାଁନ୍ତି ପରିବାରଲୋକେ। ପୁଅ କିଭଳି ସୁରକ୍ଷିତ ଭାବେ ଘରକୁ ଫେରିବ ସେନେଇ ପ୍ରଶାସନ, ମୁଖ୍ୟମନ୍ତ୍ରୀ ନିକଟରେ ଗୁହାରୀ କରିଛନ୍ତି। ତେବେ ଏ ସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରମ କମିଶନରଙ୍କୁ ଅବଗତ କରାଇବା ସହ କ୍ଷେତ୍ରବାସୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଉଥିବା କହିଛନ୍ତି।