ଆଜିଠୁ ୧୪ ଯାଏ ପାଳନ ହେବ ‘ଓଡ଼ିଆ ପକ୍ଷ’, ଜାଣନ୍ତୁ କେଉଁ ଦିନ କେଉଁ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଜିଠୁ ‘ଓଡ଼ିଆ ପକ୍ଷ’ ପାଳନ କରିବେ ରାଜ୍ୟ ସରକାର । ଏପ୍ରିଲ ୧ ଓଡ଼ିଶା ଦିବସରୁ ଏପ୍ରିଲ ୧୪ ମହାବିଷୁବ ସଂକ୍ରାନ୍ତି ଯାଏଁ ରାଜ୍ୟରେ ଓଡ଼ିଆ ପକ୍ଷ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଓଡ଼ିଆ ପକ୍ଷରେ ହେବାକୁ ଥିବା କାର୍ଯ୍ୟକ୍ରମରେ ସରକାରଙ୍କ ବିଭିନ୍ନ ବିଭାଗ ସାମିଲ ହେବେ । ଏଥିରେ ଏପ୍ରିଲ ୧ ଅର୍ଥାତ ଆଜି ସବୁ ଜିଲ୍ଲାରେ ଧୁମଧାମରେ ପାଳନ ହେବ ଓଡ଼ିଶା ଦିବସ । ଏହାପରେ ଏପ୍ରିଲ ୨ ତାରିଖରେ ଖଡ଼ିଛୁଆଁ ଦିବସ ଏବଂ ୩ ତାରିଖରେ ‘ଆମ ପୋଷାକ ଆମ ପରିଚୟ’ ଦିବସ ପାଳନ ହେବ।

ଏହାପରେ ଏପ୍ରିଲ ୪ ତାରିଖରେ ଓଡ଼ିଆ ନାମ ଫଳକ ଅଭିଯାନ ସଚେତନତା ପଦଯାତ୍ରା ହେବ । ଏହାସହ ଏପ୍ରିଲ ୫ ତାରିଖରେ ଭୁବନେଶ୍ଵରରେ ଐତିହ୍ୟ ଗଣଦୌଡ଼ ଏବଂ ୬ ତାରିଖରେ ଦେବାଳୟ ଓ ଐତିହ୍ୟ ସ୍ଥଳୀଗୁଡ଼ିକରେ ସ୍ଵଚ୍ଛତା ଅଭିଯାନ ଅନୁଷ୍ଠିତ ହେବ ।

ସେହିପରି ଏପ୍ରିଲ ୭ ତାରିଖରେ ବର୍ଣ୍ଣବୋଧ ଉତ୍ସବ, ୮ ତାରିଖରେ ରକ୍ତଦାନ ଦିବସ ଏବଂ ୯ ତାରିଖରେ ଆସ ବହିଟିଏ କିଣିବା ଦିବସ ପାଳିତ ହେବ । ଏହାସହ ୧୦ ତାରିଖରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ କରାଯାଇ ବରିଷ୍ଠ କଳାକାରଙ୍କୁ ସମ୍ବର୍ଦ୍ଧନା ଦିଆଯିବ । ଏଠାରେ ଲୋକ କଳାଗ୍ରାମର ପ୍ରଦର୍ଶନୀ ମଧ୍ୟ ହେବ।

ଅନ୍ୟପଟେ ଏପ୍ରିଲ ୧୧ ତାରିଖରେ ଯୁବ ଲେଖକ ସମ୍ମିଳନୀ, ୧୨ ତାରିଖରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟର ବରପୁତ୍ରଙ୍କ ସଂପର୍କରେ ଆଲୋଚନାଚକ୍ର ହେବ । ଏପ୍ରିଲ ୧୩ ତାରିଖରେ ପଞ୍ଚାୟତିରାଜ ବିଭାଗ, ସହରାଞ୍ଚଳ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ହେବ ପାରମ୍ପରିକ ଖାଦ୍ୟ ଦିବସ ପାଳନ । ଏପ୍ରିଲ ୧୪ରେ ଓଡ଼ିଆ ନବବର୍ଷ ପାଳିତ ହେବ । ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ହୁଳୁହୁଳି, ଝୋଟି, ଚିତା, ମୁରୁଜ, ପିଠାପଣା ପ୍ରତିଯୋଗିତା ଅନୁଷ୍ଠିତ ହେବ ।

ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଆ ପକ୍ଷକୁ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଏପ୍ରିଲ ମାସ ୧ ତାରିଖ ଓଡ଼ିଶାଦିବସ ଠାରୁ ୧୪ ଏପ୍ରିଲ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ମହା ଆଡ଼ମ୍ବରର ସହ “ଓଡ଼ିଆ ପକ୍ଷ’ ପାଳନ କରାଯିବ । ଏହା ହେବ ଆମ ମହାନ ଓଡ଼ିଆ ଅସ୍ମିତା, ସାହିତ୍ୟ, ସଂସ୍କୃତି, ପରମ୍ପରା, ନୃତ୍ୟ ଓ ସଙ୍ଗୀତର ଉତ୍ସବ । ଆସନ୍ତୁ ମନ, ପ୍ରାଣ ତଥା ହୃଦୟରୁ ଓଡ଼ିଆ ହେବା । ସ୍ୱାଭିମାନୀ ଓଡ଼ିଆ ଭାବେ ସମସ୍ତେ ଏକ ହୋଇ ଏହି ଉତ୍ସବରେ ସାମିଲ ହେବା ।

 

 

ଆହୁରି ପଢ଼ନ୍ତୁ : ଆଜି ଉତ୍କଳ ଦିବସ, ୯୦ ବର୍ଷରେ ପାଦ ଥାପିଲା ଆମ ରାଜ୍ୟ ଓଡ଼ିଶା