କେମିତି ରହିବ ଓଡ଼ିଆ ନୂଆବର୍ଷ: ବନ୍ୟା, ବାତ୍ୟା, ଯୁଦ୍ଧ-ଭୂକମ୍ପ ହେବାର ଭବିଷ୍ୟବାଣୀ

ପୁରୀ : କେମିତି ରହିବ ଓଡ଼ିଆ ନୂଆବର୍ଷ । ସୌରମାସ ଗଣନା ଅନୁସାରେ ସୋମବାର ମହାବିଷୁବ ସଂକ୍ରାନ୍ତିରୁ ଆରମ୍ଭ ହୋଇଛି ଓଡ଼ିଶା ନୂଆ ବର୍ଷ। କାଲିଠୁ ପ୍ରଚଳନ ହୋଇଛି ନୂତନ ପାଞ୍ଜି । ନୂତନ ପାଞ୍ଜିକୁ ନେଇ ସଭିଙ୍କ ମନରେ ଉତ୍କଣ୍ଠା । କିଭଳି ରହିବ ରାଜ୍ୟ ତଥା ଦେଶର ପାଣିପାଗ ଓ ଚାଷବାସ ? ବଦଳିବ କି ରାଜନୈତିକ ଦୃଶ୍ୟପଟ୍ଟ ? କେମିତି ରହିବ ରାଜ୍ୟର ସ୍ୱାସ୍ଥ୍ୟ ? ପ୍ରଥମେ ଦେଖିବା ରାଜ୍ୟର କୃଷି ଓ ପାଣିପାଗ ।
ଚଳିତ ବର୍ଷ ରାଜ୍ୟରେ ସମୟୋପଯୋଗୀ ବୃଷ୍ଟିପାତ ଓ ଉତ୍ତମ ଫସଲ ଉତ୍ପାଦନ ହେବ ବୋଲି ପାଞ୍ଜିକାର ଗଣନା କରିଛନ୍ତି । ମାତ୍ର ଶନିଙ୍କ ଅବସ୍ଥିତି ଯୋଗୁଁ ରାଜ୍ୟରେ ବନ୍ୟା ଓ ବାତ୍ୟା ଭୟ, ପାରସ୍ପରିକ କଳହ, ଭୂକମ୍ପ ଆଶଙ୍କା ରହିଛି । ଉପକୂଳବର୍ତ୍ତୀ ଅଞ୍ଚଳରେ ବାରମ୍ବାର ଲଘୁଚାପଜନିତ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ଅନୁରୂପ ଭାବେ ମଙ୍ଗଳଙ୍କ ଅବସ୍ଥିତି ଯୋଗୁଁ ରାଜା ଓ ପ୍ରଜାଙ୍କ ମଧ୍ୟରେ ଅବିଶ୍ଵାସର ବାତାବରଣ ସୃଷ୍ଟି ହେବ ।
ରାଜ୍ୟରେ ରାଜନୈତିକ ବାତାବରଣ ସରଗରମ ରହିବ । ବିରୋଧୀଦଳର ବହୁ ନେତା ଦଳ ବଦଳେଇବେ । ଏ ବର୍ଷ ୪ଥର ପଞ୍ଚଗ୍ରହକୂଟ ଥିବାରୁ ବାରମ୍ବାର ରାସ୍ତା ଦୁର୍ଘଟଣା, ବ୍ୟୋମଯାନ ଦୁର୍ଘଟଣା, ଚୋରି, ଡକାୟତି ଓ ହିଂସା ଯୋଗୁ ଧନଜୀବନ ହାନିର ସମ୍ଭାବନା ରହିଛି । ସ୍ବାସ୍ଥ୍ୟ କଥା ଦେଖିବାକୁ ଗଲେ ଚଳିତ ବର୍ଷ ଶେଷାର୍ଦ୍ଧରେ ଅର୍ଥାତ୍ ନଭେମ୍ବର ଶେଷ ଆଡ଼କୁ ସଂକ୍ରାମକ ରୋଗ ସ୍ଥିତି ବଢ଼ିପାରେ । ଭୟାବହ ସ୍ଥିତି ନହେଲେ ବି ସରକାରଙ୍କ ମୁଣ୍ଡବ୍ୟଥାର କାରଣ ହେବ, ଲୋକେ ହନ୍ତସନ୍ତ ହେବେ ।
ଆହୁରି ପଢ଼ନ୍ତୁ : ଭୁବନେଶ୍ୱରରୁ ଅପହୃତ ଶିଶୁପୁତ୍ର ବାଲେଶ୍ୱରରୁ ଉଦ୍ଧାର, ଅପହରଣକାରୀକୁ ଗିରଫ କଲା ପୋଲିସ