ଭୁବନେଶ୍ୱର : ସାମ୍ବାଦିକାଙ୍କ ମୃତ୍ୟୁ !। ଟ୍ରେନ ଲାଇନକୁ ଡେଇଁ ଜୀବନ ହାରିଲେ ସାମ୍ବାଦିକା । ବାପୁଜୀନଗର ରେଳ ଧାରଣାରୁ ସାମ୍ବାଦିକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି ପୋଲିସ । ଗତକାଲି ସନ୍ଧ୍ୟା ୯ଟା ସମୟରେ ତାଙ୍କର ମୃତଦେହକୁ ବାପୁଜୀ ନଗର ଭେନସ ଇନ୍ କଡ଼ର ଟ୍ରେନ ଲାଇନ କଡ଼ରୁ ଠାବ କରିଛି ଜିଆରପି ପୋଲିସ । ମୃତ ସାମ୍ବାଦିକଙ୍କ ହେଲେ ମଧୁମିତା ପରିଡା । ସେ ଏକ ୱେବ ଚ୍ୟାନେଲରେ କାମ କରୁଥିଲେ। ଘଟଣାସ୍ଥଳରେ ଜିଆରପି ଓ କ୍ୟାପିଟାଲ ଥାନା ପୋଲିସ ତଦନ୍ତ କରୁଛି ।
ସୂଚନା ଅନୁସାରେ ୪ ମାସ ତଳେ ବିବାହ କରିଥିଲେ ମଧୁମିତା । ସେପଟେ ମୃତ୍ୟୁ ପୂର୍ବରୁ ସାମ୍ବାଦିକାଙ୍କ ଏକ ଭିଡିଓ ବାର୍ତ୍ତା ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଭିଡିଓରେ ସେ ନିଜ ମାଙ୍କୁ କ୍ଷମା ମାଗୁଥିବା ବେଳେ ତାଙ୍କ ସ୍ୱାମୀ ତାଙ୍କୁ ଧୋକା ଦେଇଥିବା କଥା ବାରମ୍ବାର କହୁଥିବା ଲକ୍ଷ୍ୟ କରାଯାଇଛି। ସ୍ୱାମୀ ଆଉ ଜଣକ ସହ ସମ୍ପର୍କରେ ଅଛନ୍ତି । ମୋ ସହ ଆଉ ରହିବେନି ବୋଲି କହୁଛନ୍ତି । ତାଙ୍କୁ ସମସ୍ତେ ବୁଝାଇଲେ ହେଲେ ସେ ବୁଝିଲେନି । ଛୁଟିରେ ରହିଲେ ଆମର ଝଗଡା ହେଉଛି । କ୍ଷମା କରିଦେବ ମୋତେ, ମୁଁ ଆଉ ସହିପାରୁନି ବୋଲି ଭିଡିଓରେ ମହିଳା ସାମ୍ବାଦିକା ଜଣକ କହୁଛନ୍ତି । ଅନ୍ୟପଟେ ମଧୁମିତାଙ୍କ ସ୍ବାମୀ ଏକ ଭିଡିଓରେ କହିଛନ୍ତି, ‘ମୋର କୌଣସି ଝିଅ ସହ ସମ୍ପର୍କ ନାହିଁ। ମୁଁ ତାକୁ ଧୋକା ଦେଇନାହିଁ।’
ମୃତ ମଧୁମିତା ପରିଡାଙ୍କ ଘର ଗଞ୍ଜାମ ବେଲଗୁଣ୍ଠାରେ ବୋଲି ସୂଚନା ମିଳିଛି । ସେ ଗତ ୪ ମାସ ତଳେ ବିବାହ କରି ଇନ୍ଦିରା କଲୋନୀ ନୂଆ ଗାଁରେ ରହୁଥିଲେ । ଏନେଇ ପରିବାରରେ ତାଙ୍କ ସ୍ବାମୀ ସହ ଅନେକ ତିକ୍ତତା ଥିବା ଜଣାପଡିଛି । ତେବେ କାହିଁକି ମଧୁମିତା ଜୀବନ ହାରିଲେ ତାହାର ପ୍ରକୃତ କାରଣ ଜଣାପଡ଼ି ନାହିଁ ।