ଦାଦନ ଖଟିବାକୁ ଯାଇ ଓଡ଼ିଆ ଶ୍ରମିକ ମୃତ! ଘଟଣାର ସତ୍ୟାସତ୍ୟ ଖୋଜୁଛି ପୋଲିସ୍

ମୋହନା: ମୋ ସ୍ୱାମୀକୁ ମୋ ପାଖକୁ କେହି ଫେରାଇ ଆଣ  ।  ମୋ ସ୍ୱାମୀ ମୋର ସବୁକିଛି  । ମୋର  ଛୋଟ ଛୋଟ ଛୁଆ ଅଛନ୍ତି  । କେମିତି ଚଳିବୁ,କଣ ଖାଇବୁ ? ଏମିତି କହି କହି କାନ୍ଦୁଛନ୍ତି ସ୍ତ୍ରୀ । କଣ ବା କରିବେ ସ୍ବାମୀ ଭରଷାରେ ଗାଁରେ ରହି ଚଳୁଥିଲେ । କିନ୍ତୁ ଏବେ କେହି ଜଣେ ଫୋନ କରି କହୁଛି ତାଙ୍କ ସ୍ବାମୀ ଆଉ ଏ ଦୁନିଆରେ ନାହାନ୍ତି । ସ୍ବାମୀର ଅଚାନକ ମୃତ୍ୟୁ ହେଲା ନା କେହି ତାଙ୍କୁ ମିଛ ଖବର ଦେଇଛି । କିଛି ବୁଝି ପାରୁ ନାହାନ୍ତି ସ୍ତ୍ରୀ । ଗରିବ ଲୋକ ଖଟିଲେ ପେଟ ପାଇଁ ଦି ମୁଠା ଦାନା ଯୋଗାଡ଼ କରନ୍ତି । ଅଧିକ ଦି ପଇସା ରୋଜଗାର ଆଶାରେ ସ୍ୱାମୀ ଯାଇଥିଲେ ସୁଦୂର କେରଳ । କିନ୍ତୁ ଦାଦନ ଖଟିବାକୁ ଯାଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କେରଳ ଏତେ ଦୂର ହୋଇଥିବା ବେଳେ କେମିତି ସେଠାକୁ ଯିବେ ସ୍ତ୍ରୀ । ତେଣୁ ବାଧ୍ୟ ହୋଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ମହିଳା ।

ଏଭଳି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ରାଇଜୁକା ଗାଁରୁ । ଅଡବା ଥାନା ରାଇଜୁକା ଗାଁର ଟୁକୁନା ବସ୍ତରାୟ ୬ ମାସ ତଳେ ଦାଦନ ଖଟିବାକୁ କେରଳ ଯାଇଥିଲେ । ପରେ ସେଠାରୁ ପୁନା ଯାଇଥିଲେ ଟୁକୁନା । ଗତ ୨ ତାରିଖରେ ଟୁକୁନା ସ୍ତ୍ରୀକୁ ଫୋନ କରି ଘରକୁ ଫେରିବେ ବୋଲି କହିଥିଲେ । କିନ୍ତୁ ପରେ ଜଣେ ମହିଳା ଟୁକୁନାଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ସ୍ତ୍ରୀଙ୍କୁ ଫୋନ ମାଧ୍ୟମରେ ଜଣାଇଛନ୍ତି  l ଏବେ ଟୁକୁନାଙ୍କ ସ୍ତ୍ରୀ ମଧୁସ୍ମିତା ବସ୍ତରାୟ ଘଟଣାର ସତ୍ୟାସତ୍ୟ ସମ୍ପର୍କରେ ଜାଣିବା ପାଇଁ ଅଡବା ଥାନାରେ ଅଭିଯୋଗ କରିଛନ୍ତି । ଅଡବା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି l

ଘରର ଅବସ୍ଥା ଭଲ ନଥିଲା । ତେଣୁ ବାହାର ରାଜ୍ୟକୁ ଟୁକୁନା ଦାଦନ ଖଟିବା ପାଇଁ ଯାଇଥିଲେ । ନିଜ ଖୁସିକୁ ବଳିଦାନ ଦେଇ ସ୍ତ୍ରୀ ପିଲା ଛୁଆଙ୍କ ସାହାରା ପାଲଟିଥିଲେ । ହେଲେ ପରିବାର ଉପରେ ଏମିତି ଅଦିନିଆ ଝଡ ଆସି ତାଙ୍କର ସବୁ ଆଶା ସବୁ ସ୍ୱପ୍ନକୁ ଭାଙ୍ଗିରୁଜି ଚୁରମାର କରିଦେବ କେହି କେବେ ଭାବି ବି ନଥିଲେ । ଟୁକୁନାଙ୍କ ପରିବାର ଲୋକ ଅତ୍ୟନ୍ତ ଗରିବ ହୋଇଥିବାରୁ ପ୍ରଶାସନ ଏ ଦିଗରେ ଦ୍ରୁଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

Also Read:ଦାଦନ ଖଟିବାକୁ ଯାଇଥିଲେ ତେଲେଙ୍ଗାନା, ଫେରିଲା ମହିଳାଙ୍କ ମୃତଦେହ