ଉପାନ୍ତରେ ଭାଷାର ସ୍ଥିତି ଦୟନୀୟ, ବିଚ୍ଛିନ୍ନାଞ୍ଚଳର ଓଡିଆମାନେ ମାତୃଭାଷାର ସୁରକ୍ଷା ପାଇଁ କରୁଛନ୍ତି ଉଦ୍ୟମ

ପବିତ୍ର ଓଡ଼ିଶା ଦିବସ ବା ଉତ୍କଳ ଦିବସ, ଓଡ଼ିଶା ଇତିହାସରେ ଏକ ଅବିସ୍ମରଣୀୟ ଦିବସ । ପ୍ରତି ଓଡ଼ିଆଙ୍କ ପାଇଁ ଏହା ଏକ ଗୌରବର ଦିନ । ୧୯୩୬ ମସିହା ଏପ୍ରିଲ ମାସ ୧ ତାରିଖ । ଓଡ଼ିଆ ଜାତିର ଗର୍ବ ଓ ଗୌରବ ବହନ କରୁଥିବା ଏହି ତାରିଖଟିକୁ ଓଡ଼ିଶା ଦିବସ ଭାବେ ପାଳନ କରିଆସୁଛି ସମ୍ପୂର୍ଣ୍ଣ ରାଜ୍ୟ । ଏହି ଦିନ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ଜନ୍ମ ନେଇଥିଲା । ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବାର ଇତି ମଧ୍ୟରେ ପ୍ରାୟ ୯୦ବର୍ଷ ବିତିସାରିଲାଣି । କିନ୍ତୁ ଏହି ୯ ଦଶନ୍ଧି ମଧ୍ୟରେ ଓଡିଶାର ଏନ୍ତୁଡିଶାଳ କୁହାଯାଉଥିବା ପାରଳାଖେମୁଣ୍ଡି ତଥା ଗଜପତି ଜିଲ୍ଲାରେ ଭାଷାର ସ୍ଥିତିରେ ସୁଧାର ଆସିବା ବଦଳରେ ଅଧିକ ନିମ୍ନଗାମୀ ହୋଇଛି । ସ୍ବତନ୍ତ୍ର ପ୍ରଦେଶ ଗଠନ ବେଳେ ଯେଉଁ ସବୁ ଅଞ୍ଚଳ ଓଡିଶା ବାହାରେ ରହିଯାଇଥିଲା ସେହି ଅଞ୍ଚଳର ଓଡିଆମାନେ ନିଜର ଭାଷା, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ସମସ୍ତ ଉଦ୍ୟମ ଜାରି ରଖିଛନ୍ତି । ଗୋଟିଏ ପଟେ ବିଛିନ୍ନାଞ୍ଚଳରେ ଭାଷାକୁ ସୁରକ୍ଷା ମିଳୁଥିବା ବେଳେ ଉପାନ୍ତରେ ଭାଷାର ସ୍ଥିତି ଦୟନୀୟ । ଏହାକୁ ନେଇ ବୁଦ୍ଧିଜୀବୀମାନେ ଚିନ୍ତା ପ୍ରକାଶ କରିଛନ୍ତି ।
ଭାଷା ଭିତ୍ତିରେ ପ୍ରଥମ ରାଜ୍ୟ ଭାବେ ଗଢି ଉଠିଥିଲା ଓଡିଶା । ଦେଶ ସ୍ବାଧୀନ ହେବାର ୧୧ବର୍ଷ ପୂର୍ବରୁ ଅର୍ଥାତ ୧୯୩୬ ଏପ୍ରିଲ ପହିଲାରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇଥିଲା । ଯଦିଓ କୁଳବୃଦ୍ଧ ସ୍ବତନ୍ତ୍ର ପ୍ରଦେଶ ଗଠନର ସ୍ବପ୍ନ ଦେଖିଥିଲେ, ତଥାପି ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଯୋଗୁଁ ହିଁ ଏହା ସମ୍ଭବ ହୋଇପାରିଥିଲା । କାରଣ ଓଡିଆଙ୍କ ସ୍ବାଭିମାନ ରକ୍ଷା କରିବା ପାଇଁ ସେ ନିଜର ସର୍ବସ୍ବ ତ୍ୟାଗ କରିଦେଇଥିଲେ । ନିଜ ରାଜକୋଷରୁ ଟଙ୍କା ଖର୍ଚ୍ଚ କରିବା ଠାରୁ ଆରମ୍ଭ କରି ଦୁଇ ଦୁଇ ଥର ଲଣ୍ଡନ ଯାଇ ଗୋଲଟେବୁଲ ବୈଠକରେ ଉପସ୍ଥିତ ରହି ନିଜର ବଳିଷ୍ଠ ଯୁକ୍ତି ଉପସ୍ଥାପନ କରି ସ୍ବତନ୍ତ୍ର ପ୍ରଦେଶ ଗଠନ କରିବାରେ ସଫଳ ହୋଇଥିଲେ । ଅବଶ୍ୟ ଏଥିପାଇଁ ତାଙ୍କୁ ଅନେକ କିଛି କ୍ଷତି ସହିବାକୁ ପଡିଛି । କେବଳ ଆର୍ଥିକ ଭାବେ ନୁହେଁ, ବରଂ ନିଜ ରାଜ୍ୟର ପ୍ରାୟ ଦୁଇ ତୃତୀୟାଂଶ ମଧ୍ୟ ହରାଇବାକୁ ପଡିଥିଲା । ଯେଉଁଥିରେ ମଞ୍ଜୁଷା, ପୁରୁଣାପାଟଣା, ମେଳିଆପୁଟି, କୋତ୍ତୁରୁ ଆଦି ଅନେକ ଅଞ୍ଚଳ ଓଡିଶା ବାହାରେ ରହିଯାଇଥିଲା । ପରବର୍ତ୍ତୀ ସମୟରେ ଏହା ଆନ୍ଧ୍ରପ୍ରଦେଶ ଅଧିନରେ ରହିଗଲା । ଭୌଗୋଳିକ ଦୃଷ୍ଟି କୋଣରୁ ସିନା ଏହି ଅଞ୍ଚଳ ଓଡିଶାରୁ ଅଲଗା ହୋଇଗଲା, କିନ୍ତୁ ସେସବୁ ଅଞ୍ଚଳରେ ବସବାସ କରୁଥିବା ଓଡିଆଙ୍କ ହୃଦୟରୁ କିନ୍ତୁ ଆଜି ଯାଏଁ ନିଜର ମାତୃଭାଷା, ସଂସ୍କୃତି ଓ ପରମ୍ପରାକୁ କେହି ଅଲଗା କରିପାରିନାହାନ୍ତି । ସ୍ବତନ୍ତ୍ର ପ୍ରଦେଶ ଗଠନ ପୂର୍ବରୁ ସୃଷ୍ଟି ହୋଇଥିବା ଭାଷା ଆନ୍ଦୋଳନ ସମୟରେ ଅର୍ଥାତ ୧୯୦୭ ମସିହାରେ ଗଢି ଉଠିଥିବା ମଞ୍ଜୁଷାର ଓଡିଆ ଯୁବକ ପାଠାଗାର ଆଜି ବି ନିଜ ଭାଷା, ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଅହରହ ଉଦ୍ୟମ ଜାରି ରଖିଛି । ଏହି ପାଠାଗାରରେ ବହୁ ପୁରାତନ ସହ ବର୍ତ୍ତମାନ ସମୟରେ ପୁସ୍ତକ ଗଚ୍ଛିତ ରହିଛି । ଏପରିକି ଅନେକ ଓଡିଆ ପାଣ୍ଡୁଲିପି ମଧ୍ୟ ଏଠାର ରହିଛି । ଯାହାର ସୁରକ୍ଷା କରାଯିବା ଜରୁରୀ ବୋଲି ସେମାନେ କହିଛନ୍ତି ।
ଗୋଟିଏ ପଟେ ବିଚ୍ଛିନ୍ନାଞ୍ଚଳର ଓଡିଆମାନେ ନିଜ ମାତୃଭାଷାର ସୁରକ୍ଷା ପାଇଁ ସମସ୍ତ ଉଦ୍ୟମ କରୁଥିବା ବେଳେ ଓଡିଶାର ଏନ୍ତୁଡିଶାଳ ପାରଳାଖେମୁଣ୍ଡି ଭଳି ଉପାନ୍ତ ଅଞ୍ଚଳରେ ଭାଷାର ସୁରକ୍ଷା ପାଇଁ ହାତ ଗଣତି କିଛି ଲୋକଙ୍କୁ ଛାଡି ଦେଲେ ଅନ୍ୟମାନେ କୌଣସି ଉଦ୍ୟମ ନକରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏପରିକି ଏଠାକାର ଅନୁଷ୍ଠାନ ଓ ପ୍ରତିଷ୍ଠାନରେ ଓଡିଆ ଲେଖା ଯାଉନାହିଁ । ଯେଉଁଠି ବି ଲେଖା ହୋଇଛି ଓଡିଆ ଠାରୁ ଅଣ ଓଡିଆ ଭାଷାକୁ ପ୍ରାଧାନ୍ୟ ଦିଆଯାଇଥିବ ନିଶ୍ଚିତ । ଉପାନ୍ତରେ ନା ଲୋକେ କରୁଛନ୍ତି ନା ସରକାରୀ ସ୍ତରରେ ମଧ୍ୟ ସେଭଳି କିଛି ଉଦ୍ୟମ ହେଉଛି । ଯାହାର ଫଳ ସ୍ବରୂପ ଉପାନ୍ତରେ ଭାଷାର ସ୍ଥିତି ଦୟନୀୟ । ବିଚ୍ଛିନ୍ନାଞ୍ଚଳରେ ଭାଷାର ଗୁରୁତ୍ବ ଯେତିକି ରହିଛି ଉପାନ୍ତରେ ତାହା ବି ନାହିଁ । ଏଥିପାଇଁ ସରକାରୀ ସ୍ତରରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବା ଜରୁରୀ ।
Also Read: ଆଜି ଉତ୍କଳ ଦିବସ, ୯୦ ବର୍ଷରେ ପାଦ ଥାପିଲା ଆମ ରାଜ୍ୟ ଓଡ଼ିଶା