ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର ଚିତ୍ର: ଖଟିଆରେ ପ୍ରସୂତିଙ୍କୁ ବୋହି ଆଣିଲେ ଆମ୍ବୁଲାନ୍ସ କର୍ମଚାରୀ

ରାୟଗଡା(କେନ୍ଯୁଜ୍): ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର ଚିତ୍ର। ମାନବିକତା ଦେଖାଇଲେ ଆମ୍ବୁଲାନ୍ସ କର୍ମଚାରୀ। ରାୟଗଡା ଜିଲ୍ଲା ଗୁଡ଼ାରି ବ୍ଲକ ବୁରୁଡି ଗାଁରେ ଏହି ଚିତ୍ର ଦେଖିବାକୁ ମିଳିଛି। ଗାଁକୁ ପକ୍କା ରାସ୍ତାଟିଏ ନଥିବାରୁ ନାହିଁନଥିବାର ସମୁଖୀନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା।

ବୁରୁଡ଼ି ଗାଁର କୁମୁଟି ମାଝୀଙ୍କର ପ୍ରସବ ବେଦନା ହେବାରୁ ସଙ୍ଗେ ସଙ୍ଗେ ପରିବାର ବର୍ଗ ୧୦୮ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ। ଆମ୍ବୁଲାନ୍ସ ଆସିଥିଲା ସତ ଗାଁକୁ ପକ୍କା ରାସ୍ତା କି ନଦୀରେ ପୋଲ ନଥିବାରୁ ଗାଁ ନିକଟରେ ପହଞ୍ଚି ପାରିନଥିଲା । ଫଳରେ ଆମ୍ବୁଲାନ୍ସ କର୍ମଚାରୀ ମାନବିକତା ପ୍ରଦର୍ଶନ କରି ଖଟିଆରେ ପ୍ରସୂତିଙ୍କୁ ବୋହି ଆଣି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ ।

ପ୍ରସୂତିଙ୍କୁ ଗୁଡାରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ସମୟରେ ରାସ୍ତାରେ ପ୍ରସୂତି ଜଣକ ଏକ ଶିଶୁ ପୂତ୍ରକୁ ଜନ୍ମ ଦେଇଥିଲେ । ବର୍ତ୍ତମାନ ଉଭୟ ମା ଓ ପୁଅ ଗୁଡାରି ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁସ୍ଥ ରହିଥିବାର ସୂଚନା ମିଳିଛି ।