ବିଧାନସଭାର ପୂର୍ବତନ ଉପବାଚସ୍ପତି ପ୍ରହ୍ଲାଦ ଦୋରାଙ୍କ ପରଲୋକ, ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଜଣାଇଲେ ଶ୍ରଦ୍ଧାଞ୍ଜଳି

କେନ୍ୟୁଜ୍(ବ୍ୟୁରୋ):ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ପ୍ରହ୍ଲାଦ ଦୋରାଙ୍କ ପରଲୋକ ଘଟିଛି। ଚିକିତ୍ସିତ ଅବସ୍ଥାରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଶ୍ରୀ ଦୋରା ୭୪ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ବାଗ କରିଛନ୍ତି।  ଗତ ଏକ ମାସ ତଳେ ତାଙ୍କ ପତ୍ନୀଙ୍କର ଦେହାନ୍ତ ହୋଇଥିଲା।  ଆଉ ଆଜି ସନ୍ଧ୍ୟା ୫ଟା ସମୟରେ ଶ୍ରୀ ଦୋରାଙ୍କର ମୃତ୍ୟ ହୋଇଛି। ଯାହାକୁ  ନେଇ ପରିବାର ଆତ୍ମୀୟ ସ୍ବଜନ ଭାଙ୍ଗି ପଡିଛନ୍ତି। ଦୋରାଙ୍କ ଦେହାନ୍ତ ନେଇ ଘରୋଇ ହିସ୍ପିଟାଲ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେ ବିଜେପିର ଜଣେ ବରିଷ୍ଠ ନେତା ଥିଲେ। ତାଙ୍କର ବିୟୋଗରେ ଦଳର ଅପୂରଣୀୟ କ୍ଷତି ହୋଇଥିବା ବିଜେପିର କିଛି ନେତା କହିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶ୍ରୀ ଦୋରାଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିବା  ସହ ପରିବାର ଲୋକଙ୍କୁ  ସମବେଦନା ଜଣାଇଛନ୍ତି।ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ‘‘ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି’’।

ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ  ସମବେଦନା ଜଣାଇଛନ୍ତି। ଟ୍ବିଟ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ‘‘ଆମ ଦଳର ବରିଷ୍ଠ ନେତା ତଥା ଓଡ଼ିଶା ବିଧାନସଭାର ପୂର୍ବତନ ଉପ ବାଚସ୍ପତି ପ୍ରହ୍ଲାଦ ଦୋରାଙ୍କ ଵିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ସାମାଜିକ ଓ ରାଜନୈତିକ ଜୀବନରେ ତାଙ୍କର ଅବଦାନ ଚିରସ୍ମରଣୀୟ ହୋଇ ରହିବ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି । ଓଁ ଶାନ୍ତି ’’।

ସ୍ୱଗତ ଦୋରା ଜଣେ ଦକ୍ଷ, ସଚ୍ଚୋଟ, ପରୋପକାରୀ ମଣିଷ ଥିଲେ। ତାଙ୍କର ବିୟୋଗରେ  ମାଲକାନଗିରି ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି। ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ମାଲକାନଗିରି ବିଧାୟକ ଆଦିତ୍ୟ ମାଢି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ମାନସ ମାଡକାମୀ, ବାର ଆସୋସିଏସନ ସଭାପତି ପ୍ରଭାକର ପ୍ରଧାନ, ଆଇନଜୀବୀ ବୁନୁ ମହାନ୍ତି, ରାମ ପ୍ରସାଦ ପଟ୍ଟନାୟକ, ଗୋବିନ୍ଦ ପାତ୍ର, ଲମ୍ବଦର ତୁରୁକ, ମାଣିକ ଚକ୍ରବର୍ତ୍ତୀ, ସଞ୍ଜୟ ସରକାର, ନିମାଇଁ ପାଲ ସମେତ ବହୁ ନେତା, ଆଇନଜୀବୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.