ଦିନକ ପରେ ବିଧାନସଭା ବଜେଟ୍ ଅଧିବେଶନ, ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର : ଦିନକ ପରେ ବିଧାନସଭା ବଜେଟ୍ ଅଧିବେଶନ । ଜୁଲାଇ ୨୨ରୁ ଅଧିବେଶ ଆରମ୍ଭ ହୋଇ ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୫ରେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ । ନୂଆ ସରକାର ଗଠନ ହେବା ପରେ ଏହା ପ୍ରଥମ ଅଧିବେଶନ । ଉଭୟ ବିଜେଡି, କଂଗ୍ରେସ ଦଳ ସହ ଶାସକ ବିଜେପିର ପ୍ରଥମ ଟକ୍କର ଗୃହରେ ଦେଖିବାକୁ ମିଳିପାରେ ।

ଏଥର ସରଗରମ ହେବ ଅଧିବେଶନ । ଗୃହରେ ଶାସକ-ବିରୋଧୀଙ୍କ ମଧ୍ୟରେ ଦେଖିବାକୁ ମିଳିବ ଟକ୍କର । ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବଜେଟ ଅଧିବେଶନ । ପୁରୀ ରାଜଭବନରେ ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ଆକ୍ରମଣ ଘଟଣାକୁ ନେଇ ତମ୍ବିତୋଫାନ ଚାଲିଛି । କାର୍ଯ୍ୟାନୁଷ୍ଠାନ ଦାବିରେ ରାଜରାସ୍ତାରେ ବିକ୍ଷୋଭ କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ ।

ମାଡ଼ ମାରିବା ଘଟଣାରେ ରାଜ୍ୟପାଳଙ୍କ ପୁଅଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରୁଛନ୍ତି । ଏଭଳି ପରିସ୍ଥିତିରେ ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ହୋହଲ୍ଲା ପରିସ୍ଥିତି ଦେଖାଦେବାର ଯଥେଷ୍ଟ ସମ୍ଭାବନା ରହିଛି । ଗୃହରେ ଏ ପ୍ରସଙ୍ଗ ଉଠାଇବେ ବୋଲି ପୂର୍ବରୁ ସଙ୍କେତ ଦେଇସାରିଛନ୍ତି ବିରୋଧୀ । ସେପଟେ ଏ ପ୍ରସଙ୍ଗକୁ ନେଇ ବିରୋଧୀ କେବଳ ରାଜନୀତି କରୁଛନ୍ତି ବୋଲି ବିଜେପି କହିଛି।

ଶ୍ରୀକ୍ଷେତ୍ରରେ ଆଡ଼ପ ପହଣ୍ଡିରେ ବଡ଼ ଠାକୁର ବଳଭଦ୍ର ଚାରମାଳରୁ ପଡିଯିବା ପ୍ରସଙ୍ଗକୁ ନେଇ ବିଧାନସଭା ହୁଲୁସ୍ତୁଲ ହୋଇପାରେ । ଲକ୍ଷ୍ମୀ ବସର ରଙ୍ଗ ଓ ନାଁ ପରିବର୍ତ୍ତନ କରାଯାଇଛି । ଏହାସହ ବିଜୁ ପଟ୍ଟନାୟକଙ୍କ କ୍ରୀଡ଼ା ପୁରସ୍କାରରୁ ବିଜୁ ବାବୁଙ୍କ ନାଁ ହଟେଇବା ଆଦି ପ୍ରସଙ୍ଗକୁ ବିଜେଡି ଉଠାଇବ ବୋଲି ଯୋଜନା କରିଥିବା ଜଣାପଡ଼ିଛି ।

୨୪ ବର୍ଷ ପରେ ବିଧାନସଭାରେ ଚିତ୍ର ବଦଳିଛି । ବିଜେଡି ମୁଖ୍ୟ ବିରୋଧୀ ଦଳ ଭୂମିକାକୁ ଆସିଛି । ସରକାରୀ ଦଳ ଆସନରେ ବସିଛି ବିଜେପି । ଏଣିକି ବିଜେଡି ସରକାରଙ୍କୁ ପ୍ରତିଟି ପ୍ରସଙ୍ଗରେ ଜବାବ ମାଗିବ । ସରକାର ଦଳ ଆଗରେ ସଶକ୍ତ ବିରୋଧୀ ଦଳ ଅଛନ୍ତି ।  ତେଣୁ ବିଧାନସଭା ଆରମ୍ଭରୁ ବେଶ ସରଗରମ ହେବ ବୋଲି କୁହାଯାଉଛି ।