ତୃତୀୟ ଦିନରେ ବି କମ୍ପିବ ବିଧାନସଭା ! ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗରେ ମୁହାଁମୁହିଁ ହୋଇପାରନ୍ତି ଶାସକ-ବିରୋଧୀ

ଭୁବନେଶ୍ୱର: ଆଜି ବି କମ୍ପିବ ବିଧାନସଭା । ମୁହାଁମୁହିଁ ହୋଇପାରନ୍ତି ଶାସକ-ବିରୋଧୀ । ଅଧିବେଶନର ତୃତୀୟ ଦିନରେ ନବୀନଙ୍କ ଗିରଫ ଦାବିକୁ ଜୋରଦାର ବିରୋଧ କରିବ ବିଜେଡି। ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗିରଫ ଦାବି କରିବା ପରେ ତେଜୁଛି ରାଜନୀତି । ମୁକେଶ ମହାଲିଙ୍ଗଙ୍କ ଯୁକ୍ତି ଅନୁଯାୟୀ ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ବାଧା ସୃଷ୍ଟି କରିବା ଦଣ୍ଡନୀୟ ଅପରାଧ ଏବଂ ଅସାମ୍ବିଧାନିକ। ସୋମବାର ବିରୋଧୀ ଦଳ ନେତା ରାଜ୍ୟପାଳଙ୍କ ଭାଷଣ ବେଳେ ବାଧା ସୃଷ୍ଟି କରିଥିଲେ। ଏଥିପାଇଁ ବିରୋଧୀ ଦଳ ନେତାଙ୍କୁ ଗିରଫ କରିବା ପାଇଁ ଦାବି କରୁଛି ବୋଲି ସଂସଦୀୟ ବ୍ୟପାର ମନ୍ତ୍ରୀ କହିଛନ୍ତି।
ଦୁଇ ଦିନ ଧରି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରୁଛନ୍ତି । ଗୃହକୁ ସ୍ୱାଭାବିକ ଚଳାଇବା ପାଇଁ ବାଚସ୍ପତି ବାରମ୍ବାର ବିରୋଧୀଙ୍କୁ ନିବେଦନ କରିଥିଲେ । କିନ୍ତୁ ସେମାନେ ଶୁଣିନଥିଲେ। ତୃତୀୟ ଦିନରେ ମଧ୍ୟ ଏହି ପ୍ରସଙ୍ଗ ନେଇ ସରଗରମ ହୋଇପାରେ ଗୃହ। ଏହାରି ଭିତରେ ଆସନ୍ତାକାଲି ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ। ତେଣୁ ବଜେଟ୍ ପୂର୍ବରୁ ଗୃହ ସ୍ୱାଭାବିକ ଚାଲୁଛି ନା ହୋହଲ୍ଲାରେ ଶେଷ ହେଉଛି, ତାହା ଦେଖିବାକୁ ବାକି ରହିଲା। ଅନ୍ଯପଟେ ଉପବାଚସ୍ପତି ନିର୍ବାଚନ ଆଜି ଅନୁଷ୍ଠିତ ହେବ। ଏଥିପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ବିଜେପିର ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ନାମାଙ୍କନ ଦାଖଲ କରିଛନ୍ତି।