ଚାକିରି ସ୍ଥାୟୀକରଣ ନେଇ ଭୁବନେଶ୍ୱରରେ ଓଡ଼ିଶା ଆୟୂଷ ଅସ୍ଥାୟୀ କର୍ମଚାରୀ ସଂଘ, ସମାନ କାମକୁ ସମାନ ଦରମା ଦାବି କଲେ

ଭୁବନେଶ୍ୱର : ଆମ ଚାକିରି ସ୍ଥାୟୀ କରାଯାଉ, ସମାନ କାମକୁ ସମାନ ଦରମା ଦିଆଯାଉ, PTS cum Night Watchman ପଦବୀ ପରିବର୍ତ୍ତନ କରି ୪ର୍ଥ ଶ୍ରେଣୀର କର୍ମଚାରୀ ମାନ୍ୟତା ଦିଆଯାଉ ଆଦି ଦାବି ନେଇ ଆଜି ଭୁବନେଶ୍ୱରରେ ଓଡ଼ିଶା ଆୟୂଷ ଅସ୍ଥାୟୀ କର୍ମଚାରୀ ସଂଘର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର ସାଧାରଣ ସମ୍ପାଦକଙ୍କ ବାବୁଲାଲ୍‌ ମିଶ୍ରଙ୍କ ସହ ଶତାଧିକ କର୍ମଚାରୀ ଯୋଗଦେଇ ସରକାରଙ୍କ ପାତର ଅନ୍ତର ନୀତିକୁ ସମାଲୋଚନା କରିଥିଲେ ।

କର୍ମଚାରୀମାନେ ଦୀର୍ଘ ୩୦ ବର୍ଷ ଧରି କାମ କରିଆସୁଥିଲେ ମଧ୍ୟ ସେମାନଙ୍କ ସ୍ଥାୟୀତ୍ୱ ନେଇ ସରକାର ଚିନ୍ତା କରୁନାହାଁନ୍ତି । ସରକାରଙ୍କ ସର୍ବନିମ୍ନ ମଜୁରି ୮ ଘଣ୍ଟା ପରିବର୍ତ୍ତେ ଆମ୍ଭେ ୧୮ ଘଣ୍ଟା କାମ କରୁଥିଲେ ମଧ୍ୟ ଆମକୁ ଅଧିକ ପାରିଶ୍ରମିକ ଦିଆଯାଉନାହିଁ । ଡ୍ୟୁଟି ସମୟରେ ମୃତ୍ୟୁବରଣ କଲେ ପରିବାରର ଜଣକୁ ଚାକିରି ସହ ଅବସର ପରେ ୧୦ ଲକ୍ଷ ଟଙ୍କା ପ୍ରାପ୍ୟ ପ୍ରଦାନ ଆଦି ବିଭିନ୍ନ ଦାବି ନେଇ ଆୟୂଷ କର୍ମଚାରୀମାନେ ଆଜି ଭୁବନେଶ୍ୱର ଠାରେ ଏକତ୍ରୀତ ହୋଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଏହି ସମ୍ମିଳନୀରେ ସଂଘର ପରାମର୍ଶଦାତା ଶ୍ରମିକ ନେତା ପଞ୍ଚାନନ ସେନାପତି, ସଂଘର ସଭାପତି ତଥା ଶ୍ରମିକ ନେତା ପ୍ରଭାତ ସାମନ୍ତରାୟ, ସଂଘର ପରାମର୍ଶଦାତା ସାମାଜିକ କର୍ମୀ ତୁଷାର ରଂଜନ ପଣ୍ଡା ପ୍ରମୁଖ ଯୋଗ ଦେଇ ସରକାରଙ୍କ ନୀତିକୁ ତୀବ୍ର ସମାଲୋଚନା କରିଥିଲେ । ସରକାର ଅନ୍ୟ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରି ଏକ ଇତିହାସ ସୃଷ୍ଟି କରିଥିବା ବେଳେ ଏହି କର୍ମଚାରୀଙ୍କୁ ଦାବିକୁ ସହୃଦୟତାର ସହ ବିଚାର କରିବାକୁ ଦାବି କରିଥିଲେ ।