ସାହିତ୍ୟ, ସଂସ୍କୃତି ଓ ସଂଗ୍ରାମର ମାଟି ବାଲେଶ୍ୱର, ସମଗ୍ର ଭାରତରେ ଦ୍ୱିତୀୟ ସ୍ଥାନରେ ଥିଲା ଇଂଚୁଡି ଲବଣ ସତ୍ୟାଗ୍ରହ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଳା ରେମୁଣା ବ୍ଲକର ଇଂଚୁଡି ଗାଁ । ୮୯ ବର୍ଷ ତଳର ସଂଗ୍ରାମର କାହାଣୀ ଆଜି ବି ଏଠାରେ ପ୍ରତିମୂର୍ତ୍ତି ଭାବେ ଛିଡା ହୋଇଛି । ଏ ମାଟି, ପାଣି, ପବନ ମନେ ପକାଇ ଦେଉଛି ସତ୍ୟାଗ୍ରହୀ ମାନଙ୍କର ବୀରତ୍ୱର କାହାଣୀ । ୧୯୩୦ ମସିହା ଏପ୍ରିଲ ମାସ ୧୩ ତାରିଖ । ଗୁଜୁରାଟର ଦାଣ୍ଡି ପରେ ଓଡିଶାର ଇଂଚୁଡି ଲବଣ ସତ୍ୟାଗ୍ରହ ସମଗ୍ର ଭାରତରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା । ଇଂଚୁଡିର ଲବଣ ସତ୍ୟାଗ୍ରହ ସତ୍ୟାଗ୍ରହୀ ମାନଙ୍କୁ ଦେଇଥିଲା ଅପୂର୍ବ ଆନନ୍ଦ ଓ ଉତ୍ସାହ । ଏହି ପ୍ରସିଦ୍ଧ ସ୍ଥାନ ମଧ୍ୟ ଓଡ଼ିଶାର ଲବଣ ତୀର୍ଥ ଭାବେ ବେଶ ପରିଚିତ । ୧୯୨୦ ମସିହା ଅହିଂସା ଆନ୍ଦୋଳନ ଫଳପ୍ରସୂ ନହେବା ପରେ ଗାନ୍ଧୀଜୀଙ୍କ ଡାକରାରେ ସାରା ଭାରତ ବର୍ଷରେ ୧୯୩୦ ମସିହାରେ ଆରମ୍ଭ ହୋଇଥିଲା ଆଇନ ଅମାନ୍ୟ ଆନ୍ଦୋଳନ । ମାର୍ଚ୍ଚ ମାସ ୧୨ ତାରିଖ ଦିନ ଗାନ୍ଧିଜୀଙ୍କ ନେତୃତ୍ୱରେ ଆରମ୍ଭ ହୁଏ ଆଇନ ଅମାନ୍ୟ ଆନ୍ଦୋଳନ । ୭୮ ଜଣ ସହକର୍ମୀଙ୍କୁ ନେଇ ସାବରମତୀ ଆଶ୍ରମରୁ ଆରମ୍ଭ କରିଥିଲେ ପଦଯାତ୍ରା । ଦୀର୍ଘ ୩୭୫ କିଲୋମିଟର ରାସ୍ତା ଅତିକ୍ରମ କରି ଏପ୍ରିଲ ୬ ତାରିଖ ଦିନ ସକାଳେ ଦାଣ୍ଡି ଉପକୂଳରେ ପହଂଚି ଲୁଣ ମାରି ଭଙ୍ଗ କଲେ ଲବଣ ଆଇନ । ଏହାର ଠିକ ସାତ ଦିନ ପରେ ଗାନ୍ଧିଜୀଙ୍କ ଡାକରାରେ ଏପ୍ରିଲ ୧୩ ତାରିଖରେ ଇଂଚୁଡି ଠାରେ ଆରମ୍ଭ ହୋଇଥିଲା ଇଂଚୁଡି ଲବଣ ସତ୍ୟାଗ୍ରହ ।

 

Leave A Reply

Your email address will not be published.