ମାଲଦ୍ବୀପରେ ସ୍କୁବା ଡାଇଭ୍ କରି ନୂଆ କୀର୍ତ୍ତିମାନ ସ୍ଥାପନ କଲେ ଓଡ଼ିଆ ପୁଅ

ସ୍କୁବା ଡାଇଭର ପ୍ରିୟଦର୍ଶୀ । ନାଁ ଯେମିତି ତାଙ୍କର କାମ ବି ସେମିତି । ସମୁଦ୍ରର ଗଭୀର ଜଳରାଶିରେ ଦେଖାଉଛନ୍ତି ସ୍କୁବା ଡାଇଭ୍ ର କମାଲ । ମାଳଦ୍ବୀପ ହେଉଛି ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ । ଏହି ମାଲଦ୍ବୀପରେ ସ୍କୁବା ଡାଇଭ୍ କରିଛନ୍ତି ଓଡ଼ିଆ ପୁଅ । ଦୁବାଇରେ ରହୁଥବା ଓଡ଼ିଆ ସ୍କୁବା ଡାଇଭର୍ ପ୍ରିୟଦର୍ଶୀ ପାଣିଗ୍ରାହୀ ମାଳଦ୍ବୀପରେ ‘ମାଡୁ ଫାରୁ-ଗୁରାଇଧୂ କୋଡର ଡ୍ରାଇଭ୍ ସାଇଟ୍’ରେ ନିଜର ୭୫ତମ ସ୍କୁବା ଡାଇଭ୍ ଶେଷ କରିଛନ୍ତି l ଏହି ସ୍କୁବା ଡାଇଭ କରି ସେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି । ୧୦୦ ଫୁଟ୍ ଗଭୀରତାକୁ ଡାଇଭ କରି ପ୍ରିୟଦର୍ଶୀ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି ।

ଏହି ଡାଇଭ୍ ବ୍ୟତୀତ ସେ ଅନେକ କଷ୍ଟକର ଡାଇଭ୍ ପୂର୍ବରୁ କରି ସାରିଛନ୍ତି । ବର୍ତ୍ତମାନ ସୁଦ୍ଧା ୭୭ଟି ସ୍କୁବା ଡାଇଭିଂ କରି ୫୨ ଘଣ୍ଟାରୁ ଅଧିକ ସମୟ ପାଣି ଭିତରେ ସମୟ ବିତାଇଛନ୍ତି ପ୍ରିୟଦର୍ଶୀ । ପ୍ରିୟଦର୍ଶୀ କହିଛନ୍ତି, ‘ସ୍କୁବା ଡାଇଭିଂ ମୋ ପାଇଁ ଏକ ଅଦ୍ଭୁତ ଯାତ୍ରା । ପ୍ରତ୍ୟେକ ଡାଇଭ୍ ଏକ ନୂଆ ଓ ସାହସିକ ଅନୁଭୂତିରେ ଭରପୁର ରହିଥାଏ | ସମୁଦ୍ର ଭିତରର ଅଦ୍ଭୁତ ଜୀବ ଏବଂ ସୁନ୍ଦର ଉଭିଦ ମୋର ଉତ୍ସାହକୁ ବଢ଼ାଇ ଥାଆନ୍ତି ।

ଏହି ରେକର୍ଡ଼ ଡାଇଭିଂରେ ତାଙ୍କ ସହିତ ମାଳଦ୍ବୀପର ଡାଇଭିଂ ପ୍ରଶିକ୍ଷକ ନେୟା ନିଆଫ ରହିଥିଲେ । ଡାଇଭିଂ ପ୍ରଶିକ୍ଷକ ନେୟା ନିଆଫ ପ୍ରିୟଦର୍ଶୀଙ୍କ ଦକ୍ଷତାକୁ ପ୍ରଶଂସା କରିଛନ୍ତି । ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ସାଂସଦ ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ ପୁଅ ହେଉଛନ୍ତି ପ୍ରିୟଦର୍ଶୀ । ୩୭ ବର୍ଷ ବୟସରେ ସେ ସ୍କୁବା ଡାଇଭିଂ ଆରମ୍ଭ କରିଥିଲେ । ସେ ଏସିଆ, ଆଫ୍ରିକା ଏବଂ ୟୁରୋପର ୧୨ଟି ଦେଶରେ ସ୍କୁବା ଡାଇଭ୍ କରିଛନ୍ତି ।

Also Read:ଉତ୍କଟ ରୂପ ଧାରଣ କରିଛି ଜଳ ସମସ୍ୟା, ଦୁର୍ଦ୍ଦଶା ଭୋଗୁଛନ୍ତି ଗ୍ରାମବାସୀ