ରାଜ୍ୟ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି, ସରକାରୀ ଚାକିରିଆଙ୍କ ମୃତ୍ୟୁ କ୍ଷେତ୍ରରେ ତାଙ୍କର ବିବାହିତା ଝିଅ ଓ ସାବତ ଝିଅଙ୍କୁ ବି ମିଳିବ ନିଯୁକ୍ତି
ରାଜ୍ୟ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି । ସରକାରୀ ଚାକିରିଆଙ୍କ ମୃତ୍ୟୁ କ୍ଷେତ୍ରରେ ତାଙ୍କର ବିବାହିତା ଝିଅ ଓ ସାବତ ଝିଅଙ୍କୁ ବି ମିଳିବ ନିଯୁକ୍ତି । ଏଥିପାଇଁ ଓଡ଼ିଶା ବେସାମରିକ ସେବା (ପୁନର୍ବାସ ସହାୟତା) ନିୟମାବଳୀ-୨୦୨୦ର ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ପୂର୍ବରୁ ଓଡ଼ିଶା ବେସାମରିକ ସେବା (ପୁନର୍ବାସ ସହାୟତା) ନିୟମାବଳୀ, ୨୦୨୦ ଅନୁଯାୟୀ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କର ଅବିବାହିତା ଝିଅ ଏବଂ ଅବିବାହିତା ସାବତ ଝିଅମାନଙ୍କୁ ଅନୁକଂପାମୂଳକ ନିଯୁକ୍ତି ପାଇଁ ବିଚାର କରାଯାଉଥିଲା ।
କିନ୍ତୁ ବିବାହିତା ଝିଅ ଏବଂ ବିବାହିତା ସାବତ ଝିଅମାନଙ୍କୁ ବିଚାରକୁ ନିଆଯାଉ ନଥିଲା । ତେଣୁ ପିତାମାତାଙ୍କ ଉପରେ ନିର୍ଭରଶୀଳ ଥିବା ଝିଅ- ସାବତ ଝିଅଙ୍କୁ ତାଙ୍କ ବିବାହ ସ୍ଥିତି ନିର୍ବିଶେଷରେ ଅନୁକଂପାମୂଳକ ନିଯୁକ୍ତି ପ୍ରଦାନ ଲାଗି ବିଚାର କରାଯିବା ପାଇଁ ଓଡ଼ିଶା ବେସାମରିକ ସେବା (ପୁନର୍ବାସ ସହାୟତା) ନିୟମାବଳୀ-୨୦୨୦ରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ଦେଇଛି ।