ଖଣିରୁ ଟିକସ ଆଦାୟ କରିପାରିବନି ରାଜ୍ୟ, ବିଧାନସଭାରେ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର : ଓଡିଶାରେ ରାଜ୍ୟ ସରକାର ଖଣି ଉପରୁ ନିଜସ୍ବ ବକେୟା ଟିକସ ଆଦାୟ ନେଇ ଉପୁଜିଛି ଦ୍ଵନ୍ଦ ।  ଖଣି କ୍ଷେତ୍ରରୁ ନିଜସ୍ୱ ଟିକସ ଆଦାୟ ପାଇଁ ଓଡ଼ିସେଟ ଆକ୍ଟ ୨୦୦୪ ପ୍ରଣୟନ କରିଥିଲେ ତତ୍କାଳୀନ ରାଜ୍ୟ ସରକାର ।  ଏହି ଆଇନକୁ ବିରୋଧ କରି ନାଲକୋ ଓ ଅନ୍ୟ କିଛି କମ୍ପାନୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।  ୨୦୦୫ ଡିସେମ୍ବର ୫ ରେ ଓଡିଶା ହାଇକୋର୍ଟ ଏହି ଆଇନ ରାଜ୍ୟ ସରକାରଙ୍କ କ୍ଷମତା ବର୍ହିଭୁତ ଦର୍ଶାଇ ରଦ୍ଦ କରିଥିଲେ ।  ଏହି ଆଇନକୁ ସୁପ୍ରିମକୋର୍ଟ ବୈଧ ନ କରିବା ପର୍ଯ୍ୟନ୍ତ ରାଜ୍ୟ ସରକାର ନିଜସ୍ୱ ଟିକସ ଆଦାୟ କରି ପାରିବେ ନାହିଁ ବୋଲି ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ମଙ୍ଗଳବାର ବିଧାନସଭାରେ ବିବୃତ୍ତି ରଖି କହିଛନ୍ତି ।

ଗତ ଜୁଲାଇ ୩୧ ତାରିଖରେ ସୁପ୍ରିମକୋର୍ଟଙ୍କ ୯ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଖଣି ଟିକସ ଆଦାୟ ସମ୍ପର୍କୀତ ମାମଲାର ଶୁଣାଣି କରି ସ୍ପଷ୍ଟ କଲେ ଯେ, ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ମାନଙ୍କର ଖଣିଜ ପଦାର୍ଥ ଓ ଖଣି ସଲଗ୍ନ ଜମି ଉପରେ ନିଜସ୍ୱ ଟିକସ ବସାଇବାର ବୈଧାନିକ ଅଧିକାର ରହିଛି ।  ଅଗଷ୍ଟ ୧୪ ତାରିଖରେ ପୁନଶ୍ଚ ଏହି ମାମଲାର ଶୁଣାଣି କରି ରାଜ୍ୟ ମାନେ ଏହି ଟିକସ ପିଛିଲା ଭାବେ ୨୦୦୫ ଏପ୍ରିଲ ୧ ରୁ ହୋଇଥିବା କାରବାର ଉପରେ ଲାଗୁ କରି ପାରିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଲେ ।  କିନ୍ତୁ ଏହାକୁ ୨୦୨୬ ଏପ୍ରିଲ ୧ ରୁ ୧୨ ବର୍ଷରେ ବାର୍ଷିକ କିସ୍ତି ସୂତ୍ରରେ ଅସୁଲ କରିପାରିବେ ବୋଲି କହିଲେ ।  ରାଜ୍ୟ ସରକାର ଓଡିଶାରେ ପିଛିଲା ଭାବେ ଟିକସ ଆଦାୟ ନ କଲେ ରାଜ୍ୟ ୧ ଲକ୍ଷ ୧୦ ହଜାର କୋଟି ରାଜସ୍ୱ ହରାଇବ ବୋଲି ବିରୋଧୀ ବିଜେଡି ସଦସ୍ୟ ମାନେ କହିଛନ୍ତି ।  କିନ୍ତୁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ଆଇନକୁ ବୈଧ ଦର୍ଶାଇବା ପରେ ହିଁ ଖଣି ମାଲିକଙ୍କ ଠାରୁ ଟିକସ ଆଦାୟ କରାଯାଇ ପାରିବ ବୋଲି ଖଣି ମନ୍ତ୍ରୀ କହିଛନ୍ତି ।