ମନମୋହନ ସିଂହଙ୍କ ବିୟୋଗ: ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଭୁବନେଶ୍ୱର : ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ ରେ ଲେଖିଛନ୍ତି ଯେ, ସ୍ୱର୍ଗତ ସିଂହ ଦେଶର ଜଣେ ମହାନ ବରପୁତ୍ର ଥିଲେ । ଅର୍ଥନୀତି କ୍ଷେତ୍ରରେ ତାଙ୍କର ଜ୍ଞାନ ଓ ଦ କ୍ଷତା ପାଇଁ ସାରା ବିଶ୍ୱରେ ସମ୍ମାନର ଅଧିକାରୀ ହୋଇପାରିଥିଲେ । ଅର୍ଥମନ୍ତ୍ରୀ ଭାବେ ଦେଶରେ ଅର୍ଥନୀତିକୁ ନୂଆ ଦିଗ ଦେଇଥିଲେ । ତାଙ୍କର ଜ୍ଞାନ, ଭଦ୍ରତା, ସାଧୁତା ଓ ଅମାୟିକ ସ୍ୱଭାବ ତାଙ୍କ ପାଇଁ ରାଜନୀତି କ୍ଷେତ୍ରରେ ଭିନ୍ନ ଏକ ପରିଚୟ ସୃଷ୍ଟି କରିଥିଲା । ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି ।

 

ଅନ୍ୟପଟେ, ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼କ୍ଟର ମନମୋହନ ସିଂହଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ ରେ ସ୍ବର୍ଗତ ସିଂହ ଙ୍କୁ ଜଣେ ଦକ୍ଷ ପ୍ରଶାସକ, ପାର୍ଲିଆମେଣ୍ଟାରିଆନ ଓ ଯଶସ୍ବୀ ଅର୍ଥନୀତିଜ୍ଞ ଭାବରେ ବର୍ଣ୍ଣନା କରିଛନ୍ତି ।  ଦେଶର ଅର୍ଥନୈତିକ ସଂସ୍କାରର ସେ ଥିଲେ ସୂତ୍ରଧର ଯାହାକି ଭାରତୀୟଙ୍କ ଜୀବନରେ ବିରାଟ ପରିବର୍ତ୍ତନ ଆଣିପାରିଛନ୍ତି । ଏବଂ ଭାରତକୁ ବିଶ୍ୱ ର ଏକ ପ୍ରମୁଖ ଆର୍ଥିକ ଶକ୍ତି ଭାବରେ ଗଢି ତୋଳିଛନ୍ତି । ନମ୍ରତା ଓ ବିଦବତ୍ତା ଡ଼କ୍ଟର ସିଂହଙ୍କ ବ୍ୟକ୍ତିତ୍ୱର ଉଜ୍ଜଳ ତମ ଦିଗ ଥିଲା । ତାଙ୍କର ବିୟୋଗରେ ଦେଶ ଜଣେ ମହାନ ବିଭୁତିଙ୍କୁ ହରାଇଲା ବୋଲି ଶ୍ରୀ ପଟ୍ଟନାୟକ ବର୍ଣ୍ଣନା କରି ଡ଼କ୍ଟର ସିଂହ ଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ନବୀନ ପଟ୍ଟନାୟକ ସ୍ବର୍ଗତ ସିଂହଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।