ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୨ ପ୍ରତିଶତ ବଢ଼ିଲା DA

ଭୁବନେଶ୍ୱର : ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ୨ ପ୍ରତିଶତ ବଢ଼ିଲା DA ।  ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୩ ପ୍ରତିଶତରୁ ୫୫ ପ୍ରତିଶତକୁ ବୃଦ୍ଧି ପାଇଛି । ଏହା ପିଛିଲା ଭାବେ ଗତ ଜାନୁଆରୀ ପହିଲାରୁ ଲାଗୁ ହେବ । ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ଏପ୍ରିଲ ମାସ ଦରମାରେ ନଗଦ ଆକାରରେ ମିଳିବ ।

ସେହିପରି ପେନସନଭୋଗୀଙ୍କ ଟି.ଆଇ ରେ ମଧ୍ୟ ଦୁଇ ପ୍ରତିଶତ ବୃଦ୍ଧି କରାଯାଇଛି । ସେମାନେ ମଧ୍ୟ ଅନୁରୂପ ଭାବେ ଏପ୍ରିଲ ମାସ ପେନସନରେ ବର୍ଦ୍ଧିତ ଟି.ଆଇ ପାଇବେ । ଏହା ଦ୍ୱାରା ପ୍ରାୟ ସାଢେ ଆଠ ଲକ୍ଷ ସରକାରୀ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ । ପୂର୍ବରୁ ଗତ ମାର୍ଚ୍ଚ ୨୮ ତାରିଖରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୨ପ୍ରତିଶତ ବୃଦ୍ଧି କରିଥିଲେ କେନ୍ଦ୍ର ସରକାର ।  ଅନୁରୂପ ଭାବେ ଆଜି ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ୨ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି ।